Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଟୁଛି ଶଙ୍ଖ, ବିଜେଡି ଛାଡିଲେ ସବୁ ସିନେ ଷ୍ଟାର

ଭୁବନେଶ୍ୱର: ଶନିବାର ଓଡିଶା ରାଜନୀତିରେ ଏମିତି ଘଟଣା ଦେଖିବାକୁ ମିଳିବ ତାହା କେହି ଭାବି ପାରି ନ ଥିବେ । ଜଣେ କି ଦୁଇ ଜଣେ ନୁହନ୍ତି ତିନି ଜଣ ନେତା ବିଜେଡିକୁ ଅଲବିଦା କହିଛନ୍ତି । ସେଥିରୁ ଦୁଇ ଜଣ ହେଉଛନ୍ତି ଅଭିନେତା ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଏବଂ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଗୋଟିଏ ଦିନରେ ଦୁଇ ନେତା ବିଜେଡିକୁ ଛାଡିଛନ୍ତି । ଏହିପରି ଭାବେ ସବୁ ସିନେ ଷ୍ଟାର ବିଜେଡିକୁ ଛାଡି ଦେଇଛନ୍ତି । ଦୁଇ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡିଥିଲେ । ଷ୍ଟାଇଲିସ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡିଥିଲେ।

ସିଦ୍ଧାନ୍ତ ମହାପାତ୍ର

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମାର୍ଚ୍ଚ ୨୮ ତାରିଖରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ସିଦ୍ଧାନ୍ତ ମହାପାତ୍ର ନୂଆଦିଲ୍ଲୀରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ କଟକର ଛଅ ଥର ସାଂସଦ ଭର୍ତୃହରିଙ୍କ ସହ ମିଶି ବିଜେପିରେ ଯୋଗ ଦେଇଥିଲେ । ଅନ୍ୟ ନେତାଙ୍କ ପରି ସିଦ୍ଧାନ୍ତ ମଧ୍ୟ ଦଳରେ କୋଣଠେସା ହୋଇ ରହିଥିଲେ । ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ବ୍ରହ୍ମପୁରର ଦୁଇ ଥରର ସାଂସଦ । ସେ ୨୦୦୯ ମସିହାରେ ବିଜେଡିରେ ଯୋଗ ଦେଇ ରାଜନୀତିରେ ପାଦ ଦେଇଥିଲେ । ୨୦୦୯ରେ ସେ ବିଜେଡି ଟିକେଟରେ ବ୍ରହ୍ମପୁରରୁ ଲୋକସଭା ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । ପୁଣି ୨୦୧୪ରେ ମଧ୍ୟ ସଂସଦକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା । କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟୀ ମଧ୍ୟ ହୋଇଥିଲେ। ଏହା ପରଠୁ ସିଦ୍ଧାନ୍ତଙ୍କୁ ପ୍ରତ୍ୟେକ୍ଷ ରାଜନୀତିରେ ଆଉ ଦେଖିବାକୁ ମିଳିନଥିଲା। ସେ ଏକ ପ୍ରକାର ରାଜନୀତିରୁ ଗାଏବ ହୋଇ ଯାଇଥିଲେ। କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁନଥିଲା।

ଅରିନ୍ଦମ ରାୟ

ଅରିନ୍ଦମ ରାୟ ମାର୍ଚ୍ଚ ୧୫ରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଅରିନ୍ଦମ ହେଉଛନ୍ତି ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜ୍ୱାଇଁ । ସେ ୨୦୦୯ରେ ବିଜେଡିରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୪ରୁ ଦଳର ଷ୍ଟାର ପ୍ରଚାରକ ଦାୟିତ୍ୱ ତୁଲାଇ ଆସୁଥିଲେ । ହେଲେ ତାଙ୍କୁ ନିର୍ବାଚନ ଲଢିବାକୁ ଟିକେଟ୍ ଦିଆଯାଉ ନ ଥିଲାକି ତାଙ୍କ କାମକୁ ମର୍ଯ୍ୟାଦା ମିଳୁ ନ ଥିବା ସେ କହିଥିଲେ । ଦଳ ସୁପ୍ରିମୋଙ୍କୁ ଭେଟିବାକୁ ଚାହିଁଥିଲେ ବି ସୁଯୋଗ ପାଇ ନ ଥିଲେ । ନବୀନଙ୍କକୁ ଭେଟିବାର ମାପଦଣ୍ଡ ପୂରଣ କରୁ ନ ଥିବା ଅନୁଭବ କରିଥିଲେ ବୋଲି ଅରିନ୍ଦମ କହିଥିଲେ।

ଆକାଶ ଦାସ ନାୟକ

ଆକାଶ ଦାସ ନାୟକ ୨୦୧୪ ନିର୍ବାଚନରେ ବିଜେଡିରେ ମିଶିଥିଲେ ଏବଂ କରୋଇରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ । ୨୦୧୪ରୁ ୨୦୧୯ ଯାଏ ବିଧାୟକ ଥିଲେ । ଦଳ ଛାଡିବା ପରେ ସେ କହିଛନ୍ତି, ଆତ୍ମ ସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡିଛି । କୋରେଇବାସୀ, ସମର୍ଥକ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା କରି ଏବଂ ସେମାନଙ୍କ ପରାମର୍ଶକ୍ରମେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବି । ୨୦୧୯ରେ ବିନା କାରଣରେ ଟିକେଟ୍ କଟାଗଲା । ତଥାପି ପ୍ରତିବାଦ କରି ନ ଥିଲି । ବିଧାୟକ ନ ଥାଇ ୫ ବର୍ଷ ଧରି ଦଳ ପାଇଁ କଠିନ ପରିଶ୍ରମ କରିଛି । ଦଳ ବୋଧହୁଏ ମୋ ଗୁରୁତ୍ୱ ବୁଝି ପାରିଲା ନାହିଁ । କରୋଇବାସୀଙ୍କ ପରାମର୍ଶରେ ପରବର୍ତୀ ପଦକ୍ଷେପ ନେବି । ବିଜେପିରେ ସେ ମିଶିବାର ସମ୍ଭାବନା ରହିଛି।

ଅନୁଭବ ମହାନ୍ତି

ଅନୁଭବ ମହାନ୍ତି ୨୦୧୩ରେ ବିଜେଡିରେ ଯୋଗ ଦେଇ ରାଜନୀତି ମଇଦାନରେ ପାଦ ଦେଇଥିଲେ । ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ଏହା ସହିତ ଅନୁଭବ ରାଜ୍ୟସଭାକୁ ମନୋନୀତ ହେବାରେ ସର୍ବକନିଷ୍ଠ ନେତା ହୋଇଥିଲେ । ଏହା ପରେ ସେ ୨୦୧୯ ଲୋକସଭା ନିର୍ବାଚନ ଲଢିଥିଲେ । ଗତ ନିର୍ବାଚନରେ ସେ ବୈଜୟନ୍ତ ପଣ୍ଡାଙ୍କ ପୁରୁଖା ନେତାଙ୍କୁ ୨ ଲକ୍ଷରୁ ଅଧିକ ଭୋଟରେ ହରାଇ ରାଜନୀତିରେ ଚହଳ ପକାଇଥିଲେ । ୨୦୧୯ରେ ସେ ବିଜୁ ଜନତା ଦଳର ଜଣେ ଷ୍ଟାର ପ୍ରଚାରକ ମଧ୍ୟ ଥିଲେ । ତେବେ କେନ୍ଦ୍ରାପଡାର ସାଂସଦ ହେବା ପରେ ସେ ନିଜର ବ୍ୟକ୍ତିଗତ ତଥା ଘରୋଇ କଳହ ଯୋଗୁଁ ରାଜନୀତିରେ ସକ୍ରିୟ ରହି ପାରି ନ ଥିଲେ । ଏପରିକି ବିଜେଡିରେ ସେ ଅବହେଳିତ ଓ କୋଣଠେସା ହୋଇ ରହିଥିଲେ । ଆଉ ଆଜି ସେ ବିଜେଡି ଛାଡିଛନ୍ତି। ବିଜେପିରେ ମିଶିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ