ଭୁବନେଶ୍ୱର: ଆଶା ଅନୁଯାୟୀ ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଆଜି ଶଙ୍ଖ ଭବନରେ ସାଂସଦ ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଚିରଞ୍ଜୀବ ତାଙ୍କ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।
ବିଜେଡିରେ ମିଶିବା ପରେ ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ନବୀନଙ୍କ ନେତୃତ୍ୱ ଓ ୨୫ ବର୍ଷର ଜନାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜେଡିକୁ ଆସିଛି। ଏଥର ୧୨୦ରୁ ଅଧିକ ବିଧାୟକ ଓ ୧୫ରୁ ଅଧିକ ସାଂସଦଙ୍କୁ ଜିତେଇବାରେ ସହଯୋଗ କରିବୁ।
ସୂଚନାଯୋଗ୍ୟ, ୨୦୧୪ରୁ ୨୦୧୯ ଯାଏ ସେ ଜଗତସିଂହପୁରର ବିଧାୟକ ଥିଲେ ଚିରଞ୍ଜୀବ । ୨୦୧୯ରେ ଏହି ଆସନରୁ ଲଢି ପରାଜିତ ହୋଇଥିଲେ । ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ମଧ୍ୟ ଥିଲେ । ଏହା ସହ ବିଧାନସଭାର ବିରୋଧୀ ଦଳ ନେତା ଦାୟିତ୍ୱରେ ଥିଲେ । ତେବେ ଗତ ବର୍ଷ ଜୁଲାଇ ଦଳ ବିରୋଧୀ କାର୍ଯ୍ୟ ପାଇଁ ଚିରଞ୍ଜୀବଙ୍କୁ କଂଗ୍ରେସ ସସପେଣ୍ଡ କରିଥିଲା । ପିସିସି ଶୃଙ୍ଖଳା କମିଟି ଘଟଣାର ତଦନ୍ତ କରି କିଛି ମାସ ପରେ ତାଙ୍କ ଉପରୁ ସସପେଣ୍ଡ ପ୍ରତ୍ୟାହାର କରିଥିଲେ । କିନ୍ତୁ ଦଳ ପ୍ରତି ସେ ଅସନ୍ତୁଷ୍ଟ ଥିଲେ ।
ଚିରଞ୍ଜୀବଙ୍କ ଇସ୍ତଫା କଂଗ୍ରେସକୁ ବଡ ଧକ୍କା ଦେଇଛି । କାରଣ ସେ ଜଗତସିଂହପୁରର ଟାଣୁଆ ନେତା ଥିଲେ । ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ । ତାଙ୍କ ଭାଇ ରଞ୍ଜୀବ ବିଶ୍ୱାଳ ମଧ୍ୟ କଂଗ୍ରେସ ତରଫରୁ ରାଜ୍ୟସଭା ସାଂସଦ ଥିଲେ । ଚିରଞ୍ଜୀବଙ୍କ ସହ ରଞ୍ଜୀବ ମଧ୍ୟ ବିଜେଡିରେ ମିଶି ପାରନ୍ତି ।