ମହୁଲ ମହକରେ ମହକୁଛି ଗ୍ରାମାଞ୍ଚଳ , ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିବାରୁ ପାରିଶ୍ରମିକ ପାଉନାହାନ୍ତି ଗୋଟାଳି

ବୀରମହାରାଜପୁର : (ସୌମିତ୍ରି ମେହେର) ଫାଲଗୁନ ମାସ ଆଗମନରେ ମହୁଲ ଫୁଲ ଝଡିବା ଆରମ୍ଭ ହୋଇଯାଇଛି । ଏହାର ବାସ୍ନାରେ ମହକି ଯାଏ ବଣ ପାହାଡ , ଗାଁ ଦାଣ୍ଡ I ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ଅଞ୍ଚଳରେ ଏବେ ମହୁଲ ମହକରେ ମହକୁଛି। ମହୁଲ ଫୁଲ ସଂଗ୍ରହ କରିବା ପାଇଁ ସକାଳୁ ସକାଳୁ ଆଖପାଖ ଗାଁର ମହିଳାମାନେ ମୁଣ୍ଡରେ ଟୋକେଇ ଧରି ନିଜ ପରିବାରର ସହ ମହୁଲ ଗଛ ନିକଟରେ ପାହାନ୍ତିଆରୁ ପହଞ୍ଚି ଯାଉଛନ୍ତି। ତେବେ ଏତେ କଷ୍ଟ ରେ ମହୁଲ ଫୁଲ ସଂଗ୍ରହ କରି ଆଣୁଥିଲେ ହେଁ ଉଚିତ ମୂଲ୍ୟ ମିଳୁନଥିବାରୁ ଗୋଟାଳି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିକ୍ରି ପାଇଁ ବଜାର ବ୍ୟବସ୍ଥା ନାହିଁ I ଅନ୍ୟ ଉପାୟ ନ ପାଇ ଶେଷରେ ବାଧ୍ୟ ହୋଇ ଅତି କମ୍ ମୂଲ୍ୟରେ ଦଲାଲଙ୍କ ହାତରେ ଟେକି ଦେଉଛନ୍ତି ମହୁଲଫୁଲ । ଉପଖଣ୍ଡର ବିଭିନ୍ନ ଗ୍ରାମରେ ମହୁଲ ଫୁଲ ସଂଗ୍ରହ ଜୋରସୋରରେ ଚାଲିଛି । ତାକୁ ୫ ରୁ ୬ ଦିନ ଧରି ଟାଣ ଖରାରେ ସୁଖାଇବା ପରେ ବିକ୍ରି କିଭଳି କରାଯିବ ସେନେଇ ଚିନ୍ତା କରିଥାନ୍ତି ଗୋଟାଳି I ତେବେ କୈାଣସି ବଜାର ବ୍ୟବସ୍ଥା ନଥିବାରୁ ଶେଷରେ ସ୍ଥାନୀୟ ଅଞ୍ଚଳର କିଛି ସାହୁକାର ଓ ମଦଭାଟି କର୍ମଚାରୀ ଙ୍କ ନିକଟରେ ଅତି କମ୍ ଦରରେ କିଲୋ ପିଛା ୧୫ ରୁ ୨୦ ଟଙ୍କା ଦରରେ ସେମାନେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ତେବେ ପରିଶ୍ରମ ତୁଳନାରେ ଏହା ଯଥେଷ୍ଟ କମ୍ ହେଉଥିବାରୁ ସରକାରୀ ଭାବେ ବିକ୍ରି ବ୍ୟବସ୍ଥା କରିବାକୁ ସେମାନେ ଦାବି କରୁଛନ୍ତି। ଅନ୍ୟ ପକ୍ଷରେ ପ୍ରତି ପଞ୍ଚାୟତର ପ୍ରସାଶନ ପକ୍ଷରୁ ଲଘୁ ବନଜାତ ଦ୍ରବ୍ୟ ମହୁଲ ଫୁଲ କ୍ରୟ କରିବା ପାଇଁ ୨୦୦୨ ରେ ଗ୍ରାମ ପଞ୍ଚାୟତ କୁ ଦର ଧାର୍ଯ୍ୟ ପାଇଁ କ୍ଷମତା ଦିଆଯାଇଛି। ଆଉ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ପଞ୍ଚାୟତ ମହୁଲ କ୍ରୟ କରିବାର ନିୟମ କରାଯାଇଛି। ହେଲେ ସରକାରୀ ନିୟମ ସମ୍ପର୍କରେ ଏମାନେ ଜାଣି ନ ଥିବାରୁ ଦଲାଲ କୁ କମ୍ ମୂଲ୍ୟରେ ବିକ୍ରି କରି ମାଲେମାଲ ହେଉଛନ୍ତି । ଏଥିପାଇଁ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା କରାଗଲେ ଗୋଟାଲି ମାନେ ଉପକୃତ ହୋଇ ପାରିବେ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l