ନିଷ୍ଠା ଓ କାଷ୍ଠା ର ପର୍ବ ଦଣ୍ଡ ଯାତ୍ରା ପାଇଁ ମୁଖରିତ ପୁରପଲ୍ଲି


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଲୋକସଂସ୍କୃତି ଓ ପରମ୍ପରା ଏକ ଅନନ୍ୟ ବିଭବ ହେଉଛି ଦଣ୍ଡଯାତ୍ରା । କେବଳ ବୀରମହାରାଜପୁର ଉପଖଣ୍ଡର ପ୍ରାୟ ୪୦ ଟି ଗ୍ରାମରେ ଏହି ଦଣ୍ଡଯାତ୍ରା ହେଉଥିବା ଦେଖିବାକୁ ମିଳିଥାଏ । ଚୈତ୍ରମାସର ଆଗମନ ସାଙ୍ଗକୁ ଶିବ- ଶକ୍ତିଙ୍କର ଉପାସନା ସହ ଆରମ୍ଭ ହୋଇଯାଇଛି ଭକ୍ତି ଓ ନିଷ୍ଠାର ଏହି ଲୋକପର୍ବ । ଚଳିତ ବର୍ଷ ଏଯାବତ ୧୮ ଟି ଦଣ୍ଡ , ଗ୍ରାମ ପରିକ୍ରମା ପାଇଁ ବାହାରି ସାରିଛି।‌ ସେ ମଧ୍ୟରେ ରହିଛି ବୀରମହାରାଜପୁର ବ୍ଳକର ଗୋଧନେଶ୍ଵର , ସୁନାରିବେନୀ , ପିତାମହୁଲ , ବାଗବର , ତେନ୍ତୁଲିମହଦା , ଉଫୁଲା , ମେଣ୍ଡାମାଳ , ଟିଠିପାଲି , କମଳପୁର , ଗଉଡଗାଡ, ଦାଦରପାଲି , ବଡବର୍ଡାକଟା , ମାଣିକପୁର , ବଡ଼ମାଳ , ଚଉକା , ସୁବଳୟା , ସେରଗେଡା , ଆମ୍ବଶରଭଟା , ଟେଭାପଦର ପ୍ରଭୃତି ଗ୍ରାମ। ଦଣ୍ଡୁଆମାନେ ଗାଁରୁ ଗାଁ ପରିକ୍ରମା କରୁଥିବା ବେଳେ ଗ୍ରାମବାସୀ ଶିବଶକ୍ତଙ୍କର ପୂଜାର୍ଚ୍ଚନା କରିବା ସହ ଦିନବେଳେ ଧୂଳି ଦଣ୍ଡ ଓ ପାଣି ଦଣ୍ଡ ସହିତ ରାତିରେ ଶୋଅଳ ସୁଆଙ୍ଗ ନାଚ ଗୀତ ପରିବେଷଣ କରୁଥିବା ଦେଖିବାକୁ ମିଳୁଛି ।