ଭୁବନେଶ୍ୱର: ସାଧାରଣ ନିର୍ବାଚନ ପ୍ରସ୍ତୁତି ମଧ୍ୟରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଜଣେ ପରେ ଜଣେ ନେତା ଦଳକୁ ବାଏ ବାଏ କହି ଚାଲିଛନ୍ତି । ଏହିକ୍ରମରେ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଗଣେଶ୍ୱର ନିଜର ଇସ୍ତଫା ପତ୍ରକୁ ଏକ୍ସରେ ମଧ୍ୟ ସେୟାର କରିଛନ୍ତି ।
ସେ ଲେଖିଛନ୍ତି ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । କଂଗ୍ରେସ ଦଳ ମୋତେ ବିଧାୟକ ତଥା ବିଭିନ୍ନ କର୍ମକର୍ତା ଭାବେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । କଂଗ୍ରେସରୁ ଇସ୍ତଫା ଦେବା ପରେ ଗଣେଶ୍ୱର କହିଛନ୍ତି, ୨୦୨୪ ନିର୍ବାଚନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଧାନସଭା ଯିବା ଲକ୍ଷ୍ୟ ପୂରଣ ପାଇଁ ମୁଁ ଏଭଳି ନିଷ୍ପତି ନେଇଛି । କଂଗ୍ରେସରେ ରହି ବିଧାନସଭା ଯିବାର ଆଶଙ୍କା ସୃଷ୍ଟି ହେଲା । ସମର୍ଥକ ଓ ଶୁଭେଚ୍ଛୁଙ୍କ ପରାମର୍ଶ ଓ ଆଲୋଚନା ପରେ ଏହି ପଦକ୍ଷେଡ ନେଇଛି । ଦଳ ଛାଡିଛି କିନ୍ତୁ ପ୍ରସଙ୍ଗଠୁ ଦୂରେଇ ଯାଇନି ବୋଲି ଗଣେଶ୍ୱର ବେହେରା କହିଛନ୍ତି ।
ସୂଚନାଯୋଗ୍ୟ, ଗଣେଶ୍ୱର କଂଗ୍ରେସ ଟିକେଟରେ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରୁ ୧୯୮୫ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ଥିଲେ । ତେବେ ୨୦୦୦ ଓ ୨୦୦୪ ମସିହାରେ ଏହି ଆସନରୁ ଲଢି ହାରିଥିଲେ । ପୁଣି ୨୦୦୯, ୨୦୧୪ ଓ ୨୦୧୯ରେ କେନ୍ଦ୍ରାପଡା ବିଧାନସଭାରୁ ଲଢିଥିଲେ ହେଁ ପ୍ରତିଥର ବିଜେଡି ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ ।