ଭୁବନେଶ୍ୱର: ବିଜୁ ଜନତା ଦଳ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛି । ଆଜି କିମ୍ବା ଆସନ୍ତାକାଲି ଭିତରେ ବିଜେଡି ଅବଶିଷ୍ଟ ୭୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ତେବେ ସବୁଠୁ ବଡ କଥା ଦଳର ରାଜ୍ୟସଭା ସାଂସଦ ତଥା ଟାଣୁଆ ନେତା ମାନସ ମଙ୍ଗରାଜ ବିଧାନସଭା ନିର୍ବାଚନ ଲଢି ପାରନ୍ତି । ଦଳ ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରିପାରେ । ଏମିତି ହେଲେ ଏହି ଆସନରୁ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ତାଙ୍କର ମୁକାବିଲା ହେବ ।
ପ୍ରଥମେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ବ୍ରହ୍ମପୁର ଲୋକସଭା ସିଟରୁ ପ୍ରାର୍ଥୀ ହୋଇ ପାରନ୍ତି । କାରଣ ସେ ଉକ୍ତ ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଅଛନ୍ତି । ସେଠାରେ ସଂଗଠନ ମଧ୍ୟ ମଜବୁତ କରୁଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ଦବଦବାକୁ ପ୍ରତିହତ କରିବା ପାଇଁ ମାନସଙ୍କୁ ଦଳ ଲୋକସଭା ନିର୍ବାଚନ ଲଢାଇପାରେ ବୋଲି କୁହାଯାଉଥିଲା । ତେବେ ବିଶ୍ୱସ୍ତ ସୂତ୍ର ଅନୁ୍ଯାୟୀ, ମାନସ ଚିଲିକାରୁ ବିଧାନସଭା ନିର୍ବାଚନ ଲଢି ପାରନ୍ତି । ଏଠାରେ ବର୍ତମାନ ବିଧାୟକ ଅଛନ୍ତି ପ୍ରଶାନ୍ତ ଜଗଦେବ । ଯିଏ ପୂର୍ବରୁ ବିଜେଡିରେ ଥିଲେ ଏବଂ ନିକଟରେ ବିଜେପିରେ ମିଶିଛନ୍ତି । ଏହି ଆସନ ବିଜେଡି ପାଇଁ ମଧ୍ୟ ସମ୍ମାନର ବିଷୟ ପାଲଟିଛି । ତେଣୁ ଦଳ ମାନସଙ୍କ ବଳିଷ୍ଠ ଚେହେରାଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ପୁଣି ଚିଲିକା ପୁରୀ ସଂସଦୀୟ କ୍ଷେତ୍ରରେ ଆସୁଛି । ଏଠାରୁ ବିଜେଡି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ସମ୍ବିତ ପାତ୍ର । ସଂପ୍ରତି ଅରୂପଙ୍କ ତୁଳନାରେ ସମ୍ବିତଙ୍କ ସଂଗଠନ ବେଶ ମଜବୁତ ରହିଛି । ତେଣୁ ପ୍ରତିଟି ବିଧାନସଭା ଆସନ ବିଜେଡି ପାଇଁ ଗୁରୁତ୍ୱ ବହନ କରୁଛି । ସବୁ ସମୀକରଣକୁ ଦୃଷ୍ଟିରେ ରଖି ଚିଲିକାରୁ ମାନସ ମଙ୍ଗରାଜ ପ୍ରାର୍ଥୀ ହୋଇପାରନ୍ତି ।
ବିଜେଡି ୧୯୯୮ରେ ଗଠନ ହେବା ପରଠୁ ଚିଲିକା ସିଟରେ ଦଳ ୨୦୦୯ ଓ ୨୦୧୯ରେ ନିର୍ବାଚନ ଜିତିଥିଲା । କାରଣ ୨୦୦୦ ଓ ୨୦୦୪ରେ ବିଜେପି ସହ ମେଂଟରେ ଥିଲା ବିଜେଡି । ଆଉ ଏହି ସମୟରେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ହରିଚନ୍ଦନ ନିର୍ବାଚନ ଜିତିଥିଲେ । ମେଂଟ ଭାଙ୍ଗିବା ପରେ ୨୦୦୯ରେ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ । ତେବେ ୨୦୧୪ରେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ହରିଚନ୍ଦନ ନିଜ ଅକ୍ତିକାରକୁ ଏହି ଆସନ ଆଣିଥିଲେ । ହେଲେ ୨୦୧୯ରେ ପ୍ରଶାନ୍ତ ଜଗଦେବ ବିଜେଡି ଟିକେଟରେ ଏଠାରୁ ନିର୍ବାଚନ ଜିତିଥିଲେ ।