ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର, ବିଜେଡିରେ ମିଶି ପାରନ୍ତି


ଭୁବନେଶ୍ୱର: ବିଜେପି ଛାଡିଲେ ଭୃଗୁ ବକ୍ସିପାତ୍ର । ବୁଧବାର ନିଜର ଇସ୍ତଫା ପତ୍ର ସେ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏଥର ଟିକେଟ୍ ନ ମିଳିବାରୁ ସେ ଦଳ ଛାଡିଛନ୍ତି । ଭୃଗୁଙ୍କ ବିଜେଡିରେ ମିଶିବା ଚର୍ଚ୍ଚା ଜୋର ଧରିଛି । ଏପରିକି ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭାରୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି । ଭୃଗୁ ରାଜ୍ୟ ଉପସଭାପତି ଦାୟିତ୍ୱରେ ଥିଲେ ।

ଭୃଗୁ ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟ ପାର୍ଟିର ଉନ୍ନତି ପାଇଁ ପ୍ରୟାସ କରିଛି । ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠାର ସହ ତୁଲାଇଛି । ବିଭିନ୍ନ ସାଂଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧିରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ । ଏବେ ମୋର ଆବଶ୍ୟକତା ମନେ କଲାନି ଦଳ । ସେଥିପାଇଁ ଦଳ ଛାଡିବାକୁ ବାଧ୍ୟ ହୋଇଛି । ଲୋକଙ୍କ ସେବା ଓ ଓଡିଶାର ବିକାଶ ପାଇଁ କାମ କରିବି । ମୋର ଇସ୍ତଫା ପତ୍ରକୁ ପାର୍ଟି ଗ୍ରହଣ କରି ନେବାକୁ ଅନୁରୋଧ କରୁଛି।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ଭୃଗୁ ବକ୍ସିପାତ୍ରଙ୍କୁ ବିଜେପି ବ୍ରହ୍ମପୁର ଲୋକସଭାରୁ ପ୍ରାର୍ଥୀ କରିଥିଲା । ହେଲେ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ । ବିଜେଡିର ବିଜୟୀ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ୪ ଲକ୍ଷ ୪୩ ହଜାର ୮୪୩ ଭୋଟ୍ ମିଳିଥିବା ବେଳେ ଭୃଗୁଙ୍କୁ ମିଳିଥିଲା ୩ ଲକ୍ଷ ୪୮ ହଜାର ୯୯୯ ଭୋଟ୍ । ବିଜେପି ଛାଡିଥିବା ଭୃଗୁ ଶୀଘ୍ର ବିଜେଡିରେ ମିଶି ପାରନ୍ତି ।