ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ଗଞ୍ଜାମ ରାଜନୀତିରେ ନୂତନ ମୋଡ ଆସିଛି । ବ୍ରହ୍ମପୁର ଲୋକସଭା ସିଟରୁ ଟିକେଟ୍ ନ ମିଳିବାରୁ ଦଳ ଛାଡିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର । ତାଙ୍କର ବିଜେଡିରେ ଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ ବର୍ତମାନ ବ୍ରହ୍ମପୁରର ସାଂସଦ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ କରିବା ସହ ଉପ ସଭାପତି ଦାୟିତ୍ୱ ଦେଇଛି । ଏଥିରୁ ସଙ୍କେତ ମିଳୁଛି ଯେ, ଏଥର ବ୍ରହ୍ମପୁର ଲୋକସଭାରୁ ଚନ୍ଦ୍ରଶେଖରଙ୍କୁ ଦଳ ପ୍ରାର୍ଥୀ କରିବ ନାହିଁ । ତେଣୁ ତାଙ୍କୁ ଆଗୁଆ ଥଇଥାନ କରାଯାଇଛି । ବିଜେପି ଛାଡିଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଫଳରେ ବ୍ରହ୍ମପୁର ରାଜନୀତିରେ ନୂତନ ସମୀକରଣ ସୃଷ୍ଟି ହେବାକୁ ଯାଉଛି । ଚଳିତଥର ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ପ୍ରଦୀପ ପାଣିଗ୍ରାହୀଙ୍କୁ ମଇଦାନକୁ ଓହ୍ଲାଇଥିବାରୁ ବିଜେଡି ବ୍ୟାକଫୁଟରେ ରହିଛି । ଗଞ୍ଜାମ ବିଜେଡିର ଦୀର୍ଘବର୍ଷର ସଂଗଠକ ଶ୍ରୀ ପାଣିଗ୍ରାହୀଙ୍କ ସହ ମୁକାବିଲା କରିବା ସ୍ଥିତିରେ ଚନ୍ଦ୍ରଶେଖର ନଥିବାରୁ ତାଙ୍କ ବଦଳରେ ଭୃଗୁ ବକ୍ସିପାତ୍ରଙ୍କୁ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି ।
ପ୍ରଦୀପ ଗଞ୍ଜାମ ଜିଲ୍ଲାରେ ନିଜର ସଂଗଠନ ମଜବୁତ କରିବା ସହ ଦଳ ପାଇଁ ବଳ ଯୋଗାଡ କରିବାରେ ଲାଗିଛନ୍ତି । ସେ ବିଜେଡିର ଖେଳକୁ ବିଗାଡିବାରେ ଲାଗିଛନ୍ତି । ଗଞ୍ଜାମରେ ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ଧରି ବିଜେଡିକୁ ମାତ୍ ଦେବା ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି । ଅପର ପକ୍ଷେ ବିଜେଡି ଏ ପର୍ଯ୍ୟନ୍ତ ବ୍ରହ୍ମପୁର ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିନି । ବର୍ତମାନ ସାଂସଦ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିବ ନାହିଁ । ତାଙ୍କ ସ୍ଥାନରେ ଆଜି ବିଜେପି ଛାଡିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଦଳ ପ୍ରାର୍ଥୀ କରିପାରେ । ଏମିତି ହେଲେ ବ୍ରହ୍ମପୁରରେ ପ୍ରଦୀପ ବନାମ ଭୃଗୁ ଲଢେଇ ଦେଖିବାକୁ ମିଳିବ ।
ଭୃଗୁ ୨୦୧୯ରେ ବିଜେପି ଟିକେଟରେ ବ୍ରହ୍ମପୁର ଲୋକସଭା ସିଟରୁ ନିର୍ବାଚନ ଲଢିଥିଲେ । ବିଜେଡିର ବିଜୟୀ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ୪ ଲକ୍ଷ ୪୩ ହଜାର ୮୪୩ ଭୋଟ୍ ମିଳିଥିବା ବେଳେ ଭୃଗୁଙ୍କୁ ମିଳିଥିଲା ୩ ଲକ୍ଷ ୪୮ ହଜାର ୯୯୯ ଭୋଟ୍ । କିନ୍ତୁ ଏଥର ବିଜେପି ତାଙ୍କୁ ଉକ୍ତ ଆସନରେ ଟିକେଟ୍ ନ ଦେବାରୁ ସେ ଦଳ ଛାଡିଛନ୍ତି । ୨୦୧୯ ନିର୍ବାଚନ ହାରିଥିଲେ ମଧ୍ୟ ନିଜ ଅଂଚଳରେ ସକ୍ରିୟ ଥିଲେ ଭୃଗୁ ବକ୍ସିପାତ୍ର । ବ୍ରହ୍ମପୁରରେ ତାଙ୍କର ନିଜସ୍ୱ ସଂଗଠନ ମଧ୍ୟ ରହିଛି । ୪୬ ବର୍ଷୀୟ ଭୃଗୁ ଓଡିଶା ରାଜନୀତିରେ ବେଶ ସକ୍ରିୟ ରହି ଆସିଛନ୍ତି । ତେଣୁ ପ୍ରଦୀପଙ୍କ ସହ ତାଙ୍କର କଡା ମୁକାବିଲା ହୋଇପାରେ ।
ଅନ୍ୟପଟେ ପ୍ରଦୀପ ପ୍ରାଣିଗ୍ରାହୀଙ୍କ ଗଡ ହେଉଛନ୍ତି ଗଞ୍ଜାମ ଜିଲ୍ଲା । ସେ ଗଞ୍ଜାମ ବିଜେଡିର ସଂଗଠନ ଦାୟିତ୍ୱ ସମ୍ଭାଳି ସାରିଛନ୍ତି । ତାଙ୍କୁ ସେଠାକାର ରାଜନୈତିକ ପାଣିପାଗ ବିଷୟରେ ବେଶ ଗଭୀର ଅଭିଜ୍ଞତା ରହିଛି । ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଆସୁଥିବା ପ୍ରତିଟି ନିର୍ବାଚନ ମଣ୍ଡଳୀରେ ତାଙ୍କର ସଂଗଠନ ରହିବା ସହ ଜନାଧାର ଓ ପତିଆରା ରହିଛି । ତେଣୁ ତାଙ୍କୁ ହରାଇବା କାଠିକର ପାଠ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି । ବିଜେଡି ଛାଡିବା ପରଠୁ ସେ ବିଜେଡିକୁ ବେଶ ମୁସ୍କିଲରେ ପକାଇ ସାରିଲେଣି ।