ଶଙ୍ଖ ଧରିଲେ ଭୃଗୁ ବକ୍ସିପାତ୍ର, ବ୍ରହ୍ମପୁର ଲୋକସଭାରୁ ଲଢି ପାରନ୍ତି ନିର୍ବାଚନ


ଭୁବନେଶ୍ୱର: କିଛି ସମୟ ପୂର୍ବରୁ ବିଜେପି ଛାଡିଥିବା ଭୃଗୁ ବକ୍ସିପାତ୍ର ଶଙ୍ଖ ଧରିଛନ୍ତି । ଶଙ୍ଖ ଭବନ ଆସି ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ । ମିଶ୍ରଣ ପର୍ବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉପସ୍ଥିତ ଥିଲେ । ଦଳ ତାଙ୍କୁ ବ୍ରହ୍ମପୁର ଲୋକସଭା ସିଟରୁ ପ୍ରାର୍ଥୀ କରିପାରେ । ଚଳିତଥର ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ପ୍ରଦୀପ ପାଣିଗ୍ରାହୀଙ୍କୁ ମଇଦାନକୁ ଓହ୍ଲାଇଥିବାରୁ ବିଜେଡି ବ୍ୟାକଫୁଟରେ ରହିଛି । ଗଞ୍ଜାମ ବିଜେଡିର ଦୀର୍ଘବର୍ଷର ସଂଗଠକ ଶ୍ରୀ ପାଣିଗ୍ରାହୀଙ୍କ ସହ ମୁକାବିଲା କରିବା ସ୍ଥିତିରେ ଚନ୍ଦ୍ରଶେଖର ନଥିବାରୁ ତାଙ୍କ ବଦଳରେ ଭୃଗୁ ବକ୍ସିପାତ୍ରଙ୍କୁ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି ।

ବର୍ତମାନ ବ୍ରହ୍ମପୁରର ସାଂସଦ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ କରିବା ସହ ଉପ ସଭାପତି ଦାୟିତ୍ୱ ଦେଇଛି । ଏଥିରୁ ସଙ୍କେତ ମିଳୁଛି ଯେ, ଏଥର ବ୍ରହ୍ମପୁର ଲୋକସଭାରୁ ଚନ୍ଦ୍ରଶେଖରଙ୍କୁ ଦଳ ପ୍ରାର୍ଥୀ କରିବ ନାହିଁ । ତେଣୁ ତାଙ୍କୁ ଆଗୁଆ ଥଇଥାନ କରାଯାଇଛି । ବିଜେପି ଛାଡିଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଫଳରେ ବ୍ରହ୍ମପୁର ରାଜନୀତିରେ ନୂତନ ସମୀକରଣ ସୃଷ୍ଟି ହେବାକୁ ଯାଉଛି । ଚଳିତଥର ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ପ୍ରଦୀପ ପାଣିଗ୍ରାହୀଙ୍କୁ ମଇଦାନକୁ ଓହ୍ଲାଇଥିବାରୁ ବିଜେଡି ବ୍ୟାକଫୁଟରେ ରହିଛି ।

ଭୃଗୁ ୨୦୧୯ରେ ବିଜେପି ଟିକେଟରେ ବ୍ରହ୍ମପୁର ଲୋକସଭା ସିଟରୁ ନିର୍ବାଚନ ଲଢିଥିଲେ । ବିଜେଡିର ବିଜୟୀ ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ୪ ଲକ୍ଷ ୪୩ ହଜାର ୮୪୩ ଭୋଟ୍ ମିଳିଥିବା ବେଳେ ଭୃଗୁଙ୍କୁ ମିଳିଥିଲା ୩ ଲକ୍ଷ ୪୮ ହଜାର ୯୯୯ ଭୋଟ୍ । କିନ୍ତୁ ଏଥର ବିଜେପି ତାଙ୍କୁ ଉକ୍ତ ଆସନରେ ଟିକେଟ୍ ନ ଦେବାରୁ ସେ ଦଳ ଛାଡିଛନ୍ତି । ୨୦୧୯ ନିର୍ବାଚନ ହାରିଥିଲେ ମଧ୍ୟ ନିଜ ଅଂଚଳରେ ସକ୍ରିୟ ଥିଲେ ଭୃଗୁ ବକ୍ସିପାତ୍ର । ବ୍ରହ୍ମପୁରରେ ତାଙ୍କର ନିଜସ୍ୱ ସଂଗଠନ ମଧ୍ୟ ରହିଛି । ୪୬ ବର୍ଷୀୟ ଭୃଗୁ ଓଡିଶା ରାଜନୀତିରେ ବେଶ ସକ୍ରିୟ ରହି ଆସିଛନ୍ତି । ତେଣୁ ପ୍ରଦୀପଙ୍କ ସହ ତାଙ୍କର କଡା ମୁକାବିଲା ହୋଇପାରେ ।

ଭୃଗୁ ନିଜର ଇସ୍ତଫା ପତ୍ରରେ ଲେଖିଥିଲେ, ଅତ୍ୟନ୍ତ ଦୁଃଖର ସହିତ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟ ପାର୍ଟିର ଉନ୍ନତି ପାଇଁ ପ୍ରୟାସ କରିଛି । ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠାର ସହ ତୁଲାଇଛି । ବିଭିନ୍ନ ସାଂଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧିରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ । ଏବେ ମୋର ଆବଶ୍ୟକତା ମନେ କଲାନି ଦଳ । ସେଥିପାଇଁ ଦଳ ଛାଡିବାକୁ ବାଧ୍ୟ ହୋଇଛି । ଲୋକଙ୍କ ସେବା ଓ ଓଡିଶାର ବିକାଶ ପାଇଁ କାମ କରିବି । ମୋର ଇସ୍ତଫା ପତ୍ରକୁ ପାର୍ଟି ଗ୍ରହଣ କରି ନେବାକୁ ଅନୁରୋଧ କରୁଛି।