ବିଜେଡି ଗତ ତିନି ନିର୍ବାଚନରେ ସେଞ୍ଚୁରି ପିଟିଛି, ଏଥର ୧୦୦ ପାର କରି ପାରିବ ତ !


ଭୁବନେଶ୍ୱର: ଲଗାତାର ୫ଟି ନିର୍ବାଚନ ଜିତି ଓଡିଶାରେ ଦୀର୍ଘ ୨୫ ବର୍ଷ ଧରି କ୍ଷମତାସୀନ ରହିଛି ବିଜେଡି । କଣ ଏଥର ଷଷ୍ଠ ଥର ନିର୍ବାଚନ ଜିତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ପାରିବେ ? କଣ ଗତ ୩ଟି ନିର୍ବାଚନର ସଫଳତାକୁ ଏଥର ଦୋହରାଇ ପାରିବ ବିଜେଡି ? ଏ ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଙ୍କି ମାରୁଛି । କାରଣ ଗତ ୩ଟି ନିର୍ବାଚନ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ୧୦୦ରୁ ଅଧିକ ସିଟ୍ ଜିତି ପାରିଥିଲା । ହେଲେ ଗତ କିଛି ଦିନରେ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟରେ ଯେଉଁ ପରିବର୍ତନ ଆସିଛି ତାକୁ ଦେଖିଲେ ବିଜେଡି ଏଥର ଏତେ ସିଟ୍ ଜିତିବା କାଠିକର ପାଠ ହୋଇପାରେ ।

ବିଜେପି ସହ ମେଂଟ କରି ରାଜ୍ୟରେ ନିଜର ସ୍ଥିତି ଦୃଢ କରିଥିବା ବିଜେଡି ୨୦୦୦ ନିର୍ବାଚନରେ ୬୮ଟି ଆସନ ଜିତିଥିଲା । ୨୦୦୪ରେ ୬୧ଟି ସିଟ୍ ଜିତିଥିଲା ବିଜେଡି । ତେବେ ବିଜେପି ସହ ମେଂଟ ଭାଙ୍ଗିବା ପରେ ଦଳକୁ ଅପାର ସଫଳତା ମିଳିଥିଲା । ୨୦୦୯ ନିର୍ବାଚନରେ ଦଳ ୧୦୩ଟି ସିଟ୍ ଜିତି ସରକାର ଗଢିଥିଲା । ପୁଣି ୨୦୧୪ରେ ରେକର୍ଡ ୧୧୭ ଏବଂ ୨୦୧୯ରେ ୧୧୨ଟି ସିଟ୍ ଜିତି କ୍ରମାଗତ ପଂଚମ ଥର କ୍ଷମତାସୀନ ହୋଇଥିଲା ବିଜେଡି। କିନ୍ତୁ ୨୦୨୪ରେ ୧୦୦ ସିଟ୍ ଟପିବା କାଠିକର ପାଠ । କାରଣ ରାଜନୀତି ସମୀକରଣ ବଦଳି ଯାଇଛି ।

ବିଜେପି ଓ ବିଜେଡି ମେଂଟ ଚର୍ଚ୍ଚା ଉପରେ ଯବନିକା ପଡିବା ପରେ ଏବେ ମଇଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଦଳ । ପ୍ରସ୍ତୁତି ଜୋରଦାର ଚାଲିଛି। ପର୍ଯ୍ୟାୟକ୍ରମରେ ପ୍ରାର୍ଥୀ ଘୋଷଣା ଚାଲିଛି । ଦଳ ଡିଆଁ ପର୍ବ ମଧ୍ୟ ଜୋରସୋରରେ ଚାଲିଛି । ବିଜେଡିକୁ ପ୍ରଥମ ଥର ବିରୋଧୀ ଦଳ ପକ୍ଷରୁ କଡା ଟକ୍କର ମିଳୁଛି । ଦଳର ସ୍ଥିତି ଏମିତି ଯେ, ସବୁ ଆସନରେ ପ୍ରାର୍ଥୀ ଦେବା ମୁସ୍କିଲ ହୋଇଗଲାଣି । ଦଳର ଜଣେ ପରେ ଜଣେ ପୁରୁଖା ଦଳ ଛାଡି ସାରିଲେଣି । ଯାହାର ପ୍ରତିକୂଳ ପ୍ରଭାବ ଦଳ ଉପରେ ପଡୁଛି । ଏମିତି ଗୋଷ୍ଠୀ କନ୍ଦଳ ଦଳର ରଣନୀତିକୁ ବିଗାଡିବାରେ ଲାଗିଛି । ଆଉ ଏହାର ଫାଇଦା ଉଠାଇ ବିଜେପି ବଳ ଯୋଗାଡ କରି ଚାଲିଛି । ତେଣୁ ପ୍ରାର୍ଥୀ ଘୋଷଣାରେ ବିଜେପି ଆଗୁଆ ରହିଛି । ଦଳ ସମସ୍ତ ୨୧ ଲୋକସଭା ଏବଂ ୧୧୨ ବିଧାନସଭାରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ଏ ପର୍ଯ୍ୟନ୍ତ ୨୦ ଲୋକସଭା ଓ ୯୯ ବିଧାନସଭାରେ ପ୍ରାର୍ଥୀ ଦେଇଛି । ଦଳରେ ଅନେକ ନେତା ଯୋଗ ଦେଉଥିଲେ ହେଁ ଆଗପରି ଆଉ ଦଳର ସ୍ଥିତି ନାହିଁ ।

ବିଜେଡିକୁ ଟକ୍କର ଦେବା ପରି ହେବିୱେଟ ନେତାଙ୍କୁ ପ୍ରାର୍ଥୀ କରୁଛି ଦଳ । ପୁଣି ସବୁ ସର୍ଭେରେ ବିଜେଡିର ସିଟ୍ ସଂଖ୍ୟା କମୁଥିବା ସ୍ପଷ୍ଟ ଭାବେ କୁହାଯାଇଛି । ଜାତୀୟ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଅନେକ ସର୍ଭେରେ କୌଣସି ଥିରେ ମଧ୍ୟ ବିଜେଡି ୧୦୦ ସିଟ୍ ଜିତୁଥିବା କୁହାଯାଇନି । ଏପରିକି ଅନେକ ସର୍ଭେରେ ତ ବିଜେଡି ରାଜ୍ୟରେ ସରକାର ଗଢୁଥିବା ନେଇ ଶଙ୍କା ପ୍ରକାଶ କରାଯାଇଛି । ପୁଣି ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ସରକାର ବିରୋଧୀ ହାୱା ମଧ୍ୟ ବହିବାରେ ଲାଗିଛି, ଯାହାକୁ ପ୍ରତିହତ କରିବା ବିଜେଡି ପାଇଁ ମୁସ୍କିଲ ହୋଇ ପଡିଛି । ବିଧାୟକଙ୍କଠୁ ନେଇ ସାଂସଦ ଏବଂ ପୁରୁଖା ନେତା ଦଳକୁ ବାଏ ବାଏ କରିବା ବିଜେଡି ସଂଗଠନକୁ ଦୁର୍ବଳ କରିଛି । ତେଣୁ ୨୦୨୪ ନିର୍ବାଚନରେ ବିଜେଡି ୧୦୦ ସିଟ୍ ଜିତିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।