ଭୁବନେଶ୍ୱର: ନିର୍ବାଚନ ଯେତେ ପାଖଉଛି ଦଳ ଡିଆଁ ପର୍ବ ସେତେ ଜାରି ରହିଛି । ଏହି କ୍ରମରେ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ରାମଚନ୍ଦ୍ର ପଣ୍ଡା । ରାମଚନ୍ଦ୍ର ପଣ୍ଡା ହେଉଛନ୍ତି ପୂର୍ବତନ ଉପ ବାଚସ୍ପତି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।
ଇସ୍ତଫା ପତ୍ରରେ କଡା କଥା ଲେଖିଲେ ରାମଚନ୍ଦ୍ର ପଣ୍ଡା । ସେ ଲେଖିଛନ୍ତି ୧୫ ଦିନ ହେଲା ଆଲୋଚନା ପାଇଁ ଚେଷ୍ଟା କରୁଥିଲେ ବି ସୁଯୋଗ ମିଳିଲାନି । ଉପର ଠଉରିଆ ଭାବେ ସରକାରୀ ପଦବୀ ଦେଇ ଦଲରେ ରଖିବା ଉଦ୍ଦେଶ୍ୟ । ଏହା ମୋର ସ୍ୱାଧୀନତା ଓ ସ୍ୱାଭିମାନ ପ୍ରତି କଟାକ୍ଷ ବୋଲି ରାମଚନ୍ଦ୍ର କହିଛନ୍ତି । ବିଗତ ୧୫ ଦିନ ମଧ୍ୟରେ ମୋ ତରଫରୁ ଏକାଧିକ ଅନୁରୋଧ ସ୍ୱତ୍ତେ ବିଚାର ବିମର୍ଶ ପାଇଁ ମୋତେ ଦଳ ସୁଯୋଗ ଦେଲାନାହିଁ। ସେହ୍ନ ଓ ଶ୍ରଦ୍ଧାବିନା କୌଣସି ପଦବୀ ମୂଲ୍ୟହୀନ। ଏଭଳି ଦୁଃଖଦ ପରିସ୍ଥିତିରୁ ନିଜକୁ ମୁକ୍ତ କରିବା ପାଇଁ ମୁଁ ଦଳରୁ ଅଲଗା ହୋଇଯିବା ଉଚିତ ବୋଲି ମନେ କଲି।
ରାମଚନ୍ଦ୍ର ପଣ୍ଡା ୨୦୦୦ ନିର୍ବାଚନରେ ବିଜେପି ଟିକେଟରେ ଛତ୍ରପୁରରୁ ନିର୍ବାଚନ ଲଢି ଜିତିଥିଲେ । ସେହି ସମୟରେ ବିଜେପି ଓ ବିଜେଡି ମେଂଟ ସରକାରରେ ତାଙ୍କୁ ଉପ ବାଚସ୍ପତି ଦାୟିତ୍ୱ ଦିଆଯାଇଥିଲା । ୨୦୦୦ ମାର୍ଚ୍ଚ ୨୭ରୁ ୨୦୦୪ ଫେବୃଆରୀ ୬ ପର୍ଯ୍ୟନ୍ତ ଉପ ବାଚସ୍ପତି ପଦରେ ରହିଥିଲେ । ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସେ ବିଜେପି କୃଷକ ମୋର୍ଚ୍ଚାର ଉପ ସଭାପତି ପଦରେ ଥିଲେ । ଏହା ପରେ ବିଜେପି ଛାଡି ୨୦୧୭ ଜାନୁଆରୀରେ ବିଜେଡିରେ ସାମିଲ ହୋଇଥିଲେ । ଆଉ ଆଜି ରାମଚନ୍ଦ୍ର ପଣ୍ଡା ବିଜେଡିରୁ ଇସ୍ତଫା ଦେଇଛନ୍ତି ।