ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ବିଜେଡି ଉପରେ ବର୍ଷିଲେ


ଭୁବନେଶ୍ୱର: ବିଜେପିରେ ମିଶିଲେ ଜଗତସିଂହପୁର ଜିଲ୍ଲା ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ । ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି । ଅମରେନ୍ଦ୍ରଙ୍କ ସହ ବହୁ ପୂର୍ବତନ ସରପଂଚ, ସମିତି ସଭ୍ୟ ଏବଂ ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଏହି ସମୟରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ ।

ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଛନ୍ତି ଅମରେନ୍ଦ୍ର । ସେ କହିଛନ୍ତି, ଯେଉଁଘରେ ଆମେ ୨୭ ବର୍ଷ ଧରି ପରିଶ୍ରମ କରି ଏକାଠି ଥିଲୁ, ସେଠରେ ଏବେ ବାହାର ଅତିଥିଙ୍କୁ ସ୍ୱାଗତ କରାଯାଉଛି । ଆମ ବିରୋଧରେ ଅନ୍ୟାୟ ହୋଇଛି । ଏହି ଅନ୍ୟାୟ ବିରୋଧରେ ଜଗତସିଂହପୁର ମାଟି ସ୍ୱର ଉଠାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଆମେ ବିଜେପିରେ ମିଶିଛୁ ବୋଲି ଅମରେନ୍ଦ୍ର ଦାସ କହିଛନ୍ତି ।

ସୂଚନାଯୋଗ୍ୟ, ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ଟିକେଟ୍ ନ ମିଳିବାରୁ ଜଣେ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏଥିରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ମଧ୍ୟ ସାମିଲ । ତାଙ୍କୁ ଜଗତସିଂହପୁରରୁ ଟିକେଟ୍ ଦିଆ ନ ଯାଇ ପ୍ରଶାନ୍ତ ମୁଦୁଲିଙ୍କୁ ଦିଆଯାଇଛି । ଫଳରେ ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ।