କଣ ରାଜ୍ୟରେ ନିଜର ପୂର୍ବ ସ୍ଥିତିକୁ ଫେରି ପାରିବ କଂଗ୍ରେସ ? ୧୯୮୦ ଓ ୧୯୮୫ରେ ହାସଲ କରିଥିଲା ଐତିହାସିକ ବିଜୟ


ଭୁବନେଶ୍ୱର: ୧୯୮୦ ଓ ୧୯୮୫ ମସିହା ହେଉଛି ସେହି ସମୟ ଯେଉଁ ସମୟରେ କଂଗ୍ରେସ ଏହି ଦୁଇଟି ନିର୍ବାଚନରେ ଶହେରୁ ଅଧିକ ସିଟ୍ ଜିତି ଐତିହାସିକ ବିଜୟ ହାସଲ କରିଥିଲା । ଓଡିଶାରେ ଦଳର ଲୋକପ୍ରିୟତା ଚରମରେ ଥିଲା । ହେଲେ ବର୍ତମାନ ସ୍ଥିତି ଓଲଟା ରହିଛି । ରାଜନୈତିକ ପରିଦୃଶ୍ୟ ବଦଳି ଯାଇଛି । ସଂପ୍ରତି କଂଗ୍ରେସ ଓଡିଶାରେ ଦୁଇ ଅଙ୍କ ବିଶିଷ୍ଟ ସିଟ୍ ଜିତିବା ଦୂରର କଥା ଦଳ ନିଜର ଅସ୍ଥିତ୍ୱ ବଜାୟ ରଖିବା ପାଇଁ ସଂଘର୍ଷ କରୁଛି । ଶେଷ ଥର ଦଳ ୧୯୯୫ରେ ନିର୍ବାଚନ ଜିତି ସରକାରରେ ଥିଲା । ତେବେ ବିଜୁ ଜନତା ଦଳର ଅଭ୍ୟୁଦୟ ପରଠୁ ଓଡିଶା ରାଜନୀତିର ଦିଗ ଏବଂ ଦୃଶ୍ୟ ହିଁ ବଦଳିଗଲା । ୨୦୦୦ ମସିହାଠୁ ଲଗାତାର ୫ ଥର ନିର୍ବାଚନ ଜିତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାରରେ ରହିଛି ।

ଯଦି ଓଡିଶା ରାଜନୀତିରେ କଂଗ୍ରେସର ସମସ୍ତ ନିର୍ବାଚନର ପ୍ରଦର୍ଶନ ଉପରେ ନଜର ପକାଇବା ତେବେ ୧୯୮୦ରୁ ୧୯୯୦କୁ ସୁବର୍ଣ୍ଣ ଯୁଗ କହିଲେ ଅତ୍ୟୁକ୍ତି ହେବନି । ଦଳ ଏହି ଦୁଇଟି ନିର୍ବାଚନରେ ଯଥାକ୍ରମେ ୧୧୮ ଓ ୧୧୭ ସିଟ୍ ଜିତି ସରକାର ଗଢିଥିଲା । ୧୯୫୧-୫୨ ମସିହା ନିର୍ବାଚନରେ କଂଗ୍ରେସ ୧୪୦ଟି ବିଧାନସଭା ସିଟରୁ ୬୭ଟି ଜିତିଥିଲା । ସଂଖ୍ୟା ଗରିଷ୍ଠତାଠୁ ୩ଟି ସିଟ ଦୂରରେ ଥାଇ ବି ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲା ।

ପୁଣି ୧୯୫୭ ନିର୍ବାଚନରେ କଂଗ୍ରେସ ୧୪୦ରୁ ୫୬ ସିଟ୍ ଜିତି ଅନ୍ୟ ଦଳର ବିଧାୟକଙ୍କ ସମର୍ଥନରେ ଦ୍ୱିତୀୟ ଥର ସରକାର ଗଠନ କରିଥିଲା । ୧୯୬୧ରେ ୮୨ ସିଟ୍ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରି ତୃତୀୟ ଥର କ୍ଷମତାସୀନ ହୋଇଥିଲା । ହେଲେ ୧୯୬୭ ନିର୍ବାଚନରେ କଂଗ୍ରେସର ଜନାଧାର କମିଥିଲା ଏବଂ ଦଳ ୩୧ଟି ଆସନକୁ ଖସି ଆସିଥିଲା । ଆଉ ପ୍ରଥମ ଥର ଅଣ କଂଗ୍ରେସ ଦଳ ସ୍ୱତନ୍ତ୍ର ପାର୍ଟି ସରକାର ଗଢିଥିଲା । ୧୯୭୧ରେ ପୁଣି କଂଗ୍ରେସର ଜନାଧାର ବଢିଥିଲା । ଦଳ ୧୪୦ ସିଟରୁ ୫୧ଟି ଜିତିଥିଲା । ୧୯୭୪ରେ ବିଧାନସଭା ସିଟ୍ ସଂଖ୍ୟା ୧୪୬କୁ ବୃଦ୍ଧି ଘଟିଥିଲା । ଏଥିରୁ କଂଗ୍ରେସ ୬୯ଟି ସିଟ୍ ଜିତିଥିଲା । ୧୯୭୭ରେ ଦଳ ଶୋଚନୀୟ ପ୍ରଦର୍ଶନ କରିଥିଲା । ଦଳ ଖାତାକୁ ମାତ୍ର ୨୬ଟି ସିଟ୍ ଯାଇଥିଲା । ଆଉ ୧୯୮୦ରେ ୧୧୮ ଏବଂ ୧୯୮୫ରେ ୧୧୮ ସିଟ୍ ଜିତି ଦଳ ଐତିହାସିକ ବିଜୟ ହାସଲ କରିଥିଲା ।

ଏହା ପରେ ୧୯୯୦ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ଭୋଗିଥିଲା । କଂଗ୍ରେସ ୧୪୭ଟି ଆସନରୁ ମାତ୍ର ୧୦ଟି ସିଟ୍ ଜିତିବାକୁ ସକ୍ଷମ ହୋଇଥିଲା। ଆଉ ୧୯୯୫ରେ ଦଳ ଦମଦାର ପ୍ରତ୍ୟାବର୍ତନ କରି ୮୦ ସିଟ୍ ସହ ସରକାର ଗଢିଥିଲା । ତେବେ ବିଜେଡି ଗଠନ ପରଠୁ ୨୦୦୦ ମସିହା ପରେ କଂଗ୍ରେସ ଆଉ କ୍ଷମତାକୁ ଫେରି ପାରି ନ ଥିଲା । ୨୦୦୦ ମସିହାରେ ୨୬, ୨୦୦୪ରେ ୩୮ଟି ସିଟ୍ ଜିତି ଭଲ ପ୍ରଦର୍ଶନ କରିଥିଲା । ୨୦୦୯ରେ ୨୭ ସିଟ୍ ଓ ୨୦୧୪ରେ ୧୬ ସିଟ୍ ଜିତି ଦଳ ଅତି କଷ୍ଟରେ ମୁଖ୍ୟ ବିରୋଧୀ ଦଳ ରହିଥିଲା । କିନ୍ତୁ ୨୦୧୯ରେ ଦଳ ଓଡିଶା ନିର୍ବାଚନ ଇତିହାସରେ ଦୟନୀୟ ପ୍ରଦର୍ଶନ କରି ମାତ୍ର ୯ଟି ସିଟ୍ ଜିତି ପାରିଥିଲା । ଆଉ ଏବେ ଦଳ ରାଜ୍ୟରେ ନିଜର ସ୍ଥିତି ବଂଚାଇବାକୁ ସଂଘର୍ଷ କରୁଛି ।

ଏମିତି ବି ନୁହେଁ ଯେ କଂଗ୍ରେସ ପ୍ରଥମ ଥର ଏମିତି ଖରାପ ପ୍ରଦର୍ଶନ କରିଛି । ୧୯୯୦ରେ କଂଗ୍ରେସ ମାତ୍ର ୧୦ଟି ସିଟ୍ ଜିତିଥିଲେ ହେଁ ଦଳର ସଂଗଠନ ମଜବୁତ ଥିଲା । ତେଣୁ ଦଳ ୧୯୯୫ରେ ପ୍ରତ୍ୟାବର୍ତନ କରି ପାରିଥିଲା । ହେଲେ ବର୍ତମାନ ରାଜ୍ୟରେ ବିଜେଡି ଓ ବିଜେପିକୁ ଛାଡି ଦେଲେ କଂଗ୍ରେସର ସଂଗଠନ ନ ଥିବା କହିଲେ କିଛି ଅତ୍ୟୁକ୍ତି ହେବନି । ୨୦୨୪ ନିର୍ବାଚନ ମୁଣ୍ଡ ଉପରେ । ଦଳ ଏ ପର୍ଯ୍ୟନ୍ତ ୪୯ ବିଧାନସଭା ଓ ୮ ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଛି । ୨୦୧୯ ତୁଳନାରେ ଏଥର ଦଳର ପ୍ରସ୍ତୁତି ପୂର୍ବାପେକ୍ଷା ଭଲ ରହିଛି । ତେବେ କଂଗ୍ରେସ କଣ ଭଲ ପ୍ରଦର୍ଶନ କରି ପୂବ ସ୍ଥିତିକୁ ଫେରିବ ? ୧୯୯୦ରେ ୧୦ ସିଟ୍ ଜିତିଥିଲେ ମଧ୍ୟ ୧୯୯୫ରେ ଯେଉଁ ଭଳି ପ୍ରତ୍ୟାବର୍ତନ କରିଥିଲା ସେମିତି ପ୍ରତ୍ୟାବର୍ତନ କରିବ ? ଏହାର ସମ୍ଭାବନା କ୍ଷୀଣ ଥିଲେ ମଧ୍ୟ ଜନତାଙ୍କ ମୋଡ୍ ଉପରେ ସବୁ ନିର୍ଭର କରେ ।