ବୀରମହାରାଜପୁର ରେ ଦିଗହରା ପଥପ୍ରାନ୍ତ ବନୀକରଣ ଯୋଜନା


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକର  ବିଭିନ୍ନ ରାସ୍ତା କଡରେ   ପଥପ୍ରାନ୍ତ ବନୀକରଣ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଗଛ ଲଗାଯାଇ ବନୀକରଣ ହୋଇଥିଲା । ଅସାଧୁ କର୍ମଚାରୀ ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲଗାହୋଇଥିବା ଗଛ ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାରେ ଲାଗିଛି। କିଛି ରାସ୍ତା ରେ ସୂଚନା ଫଳକ ଲାଗିଛି ହେଲେ ଗଛ ନାହିଁ। କେବଳ କାଗଜପତ୍ର ରେ ଗଛ ଲଗା ଯାଇଥିବା ଦର୍ଶାଇ ସରକାରୀ ଟଙ୍କା ଲୁଟୁଥିବା ଅଭିଯୋଗ ହେଉଛି । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାରେ ଯାଉଥିବା ପଥଚାରୀ ମାନେ ଖରାରୁ ଆଶ୍ବସ୍ତ  ପାଇଁ ଟିକିଏ ଗଛ ଛାଇ ପାଇବା ଏବେ ସ୍ବପ୍ନ ହୋଇଗଲାଣି। ଜିଲ୍ଲାରେ ବର୍ତ୍ତମାନ ୪୦ ଡିଗ୍ରୀ ରୁ ଅଧିକ ତାପମାତ୍ରା ରହୁଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।‌ ପ୍ରତ୍ୟେକ ବର୍ଷ ବନୀକରଣ ଯୋଜନା ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଗଚ୍ଛ ଗୋଟିଏ ରାସ୍ତା କଡ଼ରେ ଦେଖାଯାଉ ନାହିଁ। ଫଳରେ ପଥଚାରୀ ମାନେ ଗଛ ଛାଇ ରୁ ବଞ୍ଚିତ ରହୁଛନ୍ତି । ବୀରମହାରାଜପୁର ଠାରୁ ଗରିଆମୁଣ୍ଡା ରାସ୍ତା ଉଭୟ ପାର୍ଶ୍ଵରେ କୋଟି କୋଟି ଟଙ୍କା ବ୍ୟୟରେ ବହୁ ବାର ବନୀକରଣ ଯୋଜନାରେ ଗଛ ଲଗାଯାଇଛି । ହେଲେ ହାତଗଣତି କେତୋଟି ଗଛ ରହିଥିବା ଦେଖିବାକୁ ମିଳୁଛି । ଉକ୍ତ ରାସ୍ତା ରେ କେତେ ଗଛ ବଞ୍ଚିଛି ବିଭାଗ ପାଖରେ ମଧ୍ୟ ଖବର ନାହିଁ ।‌ ଏନେଇ ବୀରମହାରାଜପୁର ବନାଞ୍ଚଳ ଅଧିକାରୀ ଅବିନାଶ ବେରିହା ଙ୍କୁ ଯୋଗାଯୋଗ କରାଯିବାରୁ ଫୋନ ସୁଇଚ ଅପ ଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ଦାବି ହେଉଛି ।