ଭୁବନେଶ୍ୱର: ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଗତକାଲି ବିଜେଡି ଛାଡିଥିଲେ ରମେଶ ସାଏ ।
ରମେଶଙ୍କୁ ଏଥର ଆଠମଲ୍ଲିକରୁ ଟିକେଟ୍ ଦେଇନି ବିଜେଡି । ତାଙ୍କ ସ୍ଥାନରେ ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ୍ ଦେଇଛି । ଫଳରେ ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡିଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ । କିନ୍ତୁ ଆଜି ବିଜେପିରେ ମିଶିବା ପରେ ସ୍ପଷ୍ଟ ହୋଇଛି ଯେ, ଟିକେଟ୍ ନ ମିଳିବାରୁ ରମେଶ ସାଏ ବିଜେଡି ଛାଡିଥିଲେ । ତାଙ୍କୁ ବିଜେପି ଆଠମଲ୍ଲିକରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ଆଠମଲ୍ଲିକରୁ ବିଜେଡି ପ୍ରାର୍ଥୀ କରିଥିବା ନଳିନୀ ପ୍ରଧାନ ୨୦୧୯ରେ ସମ୍ବଲପୁର ଲୋକସଭାରୁ ନିର୍ବାଚନ ଲଢିଥିଲେ । ସେ ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବଙ୍କଠୁ ପରାଜିତ ହୋଇଥିଲେ । କିନ୍ତୁ ଏଥର ସେ ବିଧାନସଭା ନିର୍ବାଚନ ଲଢୁଛନ୍ତି । ସେପଟେ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରଠୁ ଟିକେଟ୍ ପାଇ ନ ଥିବା ନେତା ଦଳ ଛାଡିବାରେ ଲାଗିଛନ୍ତି । ଆଉ ସେମାନଙ୍କର ଠିକଣା ବିଜେପି ପାଲଟିଛି ।