ମୁଖ୍ୟମନ୍ତ୍ରୀଙ୍କୁ ଭର୍ତୃହରିଙ୍କ ତେରଚ୍ଛା ବାଣ, କହିଲେ- ରୋମାନ ଲିପିରେ ଲିଖିତ ଓଡିଆ ପଢିଲେ ଅସ୍ମିତା ପ୍ରତିଷ୍ଠା ହୁଏନ


ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ଆଜି ବିଜେପି ପାଳୁଛି ପ୍ରତିଷ୍ଠା ଦିବସ । ବିଜେପି ପ୍ରତିଷ୍ଠା ଦିବସରେ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇଲେ ଭର୍ତୃହରି । ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେରଚ୍ଛା ବାଣ ମାରିଛନ୍ତି । ରୋମାନ ଲିପିରେ ଲିଖିତ ଓଡିଆ ପଢିଲେ ଅସ୍ମିତା ପ୍ରତିଷ୍ଠା ହୁଏନି ବୋଲି ଭର୍ତୃହରି ମହତାବ କହିଛନ୍ତି ।

କଟକର ବିଜେପି ସାଂସଦ ପ୍ରାର୍ଥୀ ଭର୍ତୃହରି କହିଛନ୍ତି ଓଡିଆ ଅସ୍ମିତାର ଉଦ୍ଧାର, ପୁନଃପ୍ରତିଷ୍ଠା ହେଉଛି ଏଥରର ପ୍ରସଙ୍ଗ । ସେହି କଥା ନେଇ ଆମେ ଏଥର ପ୍ରତି ଅଂଚଳ ଯିବୁ । ଯେଉଁମାନେ ଓଡିଆ ଅସ୍ମିତା ବୁଝି ନାହାନ୍ତି ସେମାନେ ମାନେ ପଚାରିବେ । ସବୁଠୁ ବଡ କଥା ହେଲା ଓଡିଆ ଭାଷାକୁ ନେଇ ଗର୍ବ ଅନୁଭବ କରିବା । ଭର୍ତ୍ତୃହରି କହିଛନ୍ତି, ଆମେ କୋଣାର୍କକୁ ନେଇ ଗର୍ବ କରୁଛୁ, ଜଗନ୍ନାଥଙ୍କୁ ନେଇ ଗର୍ବ କରୁଛୁ। ଓଡ଼ିଆ ଭାଷା ଓ ଜାତିକୁ ନେଇ ଗର୍ବ କରୁଛୁ। ମଣିଷର ପରିଚୟ ଆସେ ସେତେବେଳେ, ସେ କଥା କହେ। ଯେଉଁ ଭାଷାରେ କଥା କହେ, ସେଥିରୁ ଜଣାପଡ଼େ ଯେ ସେ କେଉଁ ଭାଷାଭାଷି ।  ଯେଉଁ ଭାଷାରେ କଥା କୁହେ, ସେତେବେଳେ କେଉଁ ଭାଷାଭାଷି ଜଣା ପଡେ । ରୋମାନ ଲିପିରେ ଲିଖିତ ଓଡିଆ ପଢିଲେ ଅସ୍ମିତା ପ୍ରତିଷ୍ଠା ହୁଏନି ।

ସୂଚନାଯୋଗ୍ୟ, ଆଜି ଭାରତୀୟ ଜନତା ପାର୍ଟି ୪୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିଲା। ଏହି ଅବସରରେ ସାରା ଦେଶରେ ଦଳ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଧୁମଧାମରେ ପାଳନ ହୋଇଛି ପ୍ରତିଷ୍ଠା ଦିବସ।

ନିକଟରେ କଟକର ୬ ଥରର ସାଂସଦ ଭର୍ତୃହରି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ଯେଉଁ ଆଦର୍ଶର ସହ ବିଜେଡି ଦଳ ଗଠନ ହୋଇଥିଲା ଦଳରେ ଆଉ ସେହି ଆଦର୍ଶ ଆଉ ନାହିଁ । ଦଳର କାର୍ଯ୍ୟଶୈଳୀ ବଦଳି ଯାଇଛି । ତେଣୁ ନିଜର ଆତ୍ମ ସମ୍ମାନ ବିଜେଡିକୁ ଛାଡିଥିବା ସେ କହିଥିଲେ । ବିଜେପି ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ କଟକରୁ ପ୍ରାର୍ଥୀ କରିଛି ।