ଟିକେଟ୍ କଟିବା ପରଠୁ ଗାଏବ ଶ୍ରୀମୟୀ ମିଶ୍ର, ରାଜନୀତିରେ ତାଙ୍କ ଗତି କୁଆଡେ ?


ଭୁବନେଶ୍ୱର: ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ରାଜନୀତିରେ ବେଶ ସକ୍ରିୟ ଥିଲେ । ସଭା ସମିତି, କାର୍ଯ୍ୟକ୍ରମ ସବୁଥିରେ ଯୋଗ ଦେଉଥିଲେ । ଗତ ପାଖାପାଖି ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି କ୍ଷେତ୍ର ପ୍ରସ୍ତୁତ କରୁଥିଲେ । ଲୋକଙ୍କ ସହ ମିଶୁଥିଲେ, ଜନ ସଂପର୍କ ବଢାଉଥିଲେ । କିନ୍ତୁ ଏବେ ଆଉ ତାଙ୍କୁ କୌଣସି ଜାଗାରେ ଦେଖିବାକୁ ମିଳୁନି । ଆମେ କହୁଛୁ ଶ୍ରୀମୟୀ ମିଶ୍ରଙ୍କ କଥା । ବହୁତ ଆଶା ରଖିଥିଲେ ଏଥର ଲୋକସଭା ନିର୍ବାଚନରେ ଭୁବନେଶ୍ୱରରୁ ପ୍ରାର୍ଥୀ ହେବେ, ଲଢିବେ ଏବଂ ଜିତିବେ । ହେଲେ ତାଙ୍କର ସବୁ ଆଶା ଆଶାରେ ହିଁ ରହିଗଲା । ସଂସଦକୁ ଯିବା ସ୍ୱପ୍ନ ଭାଙ୍ଗିଗଲା । ଆଉ ଏବେ ଦଳୀୟ କାର୍ଯ୍ୟକ୍ରମକୁ ପୁରା ଗାଏବ ଶ୍ରୀମୟୀ ମିଶ୍ର ।

ଗତ ୬ ମାସର ଭୁବନେଶ୍ୱରର ରାଜନୀତି ଉପରେ ନଜର ପକାଇଲେ ଏହାର ସମ୍ଭାବନା ଥିଲା ଯେ, ଏଥର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ବିଜେଡି ଜଣେ ମହିଳା ପ୍ରାର୍ଥୀ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିବ । ସେହି ହିସାବରେ ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟର ମଧ୍ୟ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଚାରି ଆଡେ ଛାଇ ଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନଙ୍କ ସହ ପୋଷ୍ଟରରେ ତାଙ୍କ ଫଟୋ ରହୁଥିଲା । ଅନେକ ସଭା ମଂଚ ଓ ଦଳୀୟ କାର୍ଯ୍ୟକ୍ରମରେ ବିଜେଡିର ଅନେକ ବରିଷ୍ଠ ନେତା ଓ ବିଧାୟକ ମଧ୍ୟ ସଙ୍କେତ ଦେଇଥିଲେ ଯେ, ଏଥର ଶ୍ରୀମୟୀ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ । ଏକ କାର୍ଯ୍ୟକ୍ରମରେ ତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହି ଦେଇଥିଲେ ଶ୍ରୀମୟୀ ମିଶ୍ର ଏଥର ଭୁବନେଶ୍ୱରରୁ ଲୋକସଭା ନିର୍ବାଚନ ଲଢିବେ । ତେଣୁ ସେହି ହିସାବରେ ଶ୍ରୀମୟୀ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଚାର କାର୍ଯ୍ୟକ୍ରମ ଚଳାଇ ଆସିଥିଲେ । ଦଳର ପ୍ରତିଟି କାର୍ଯ୍ୟକ୍ରମରେ ତାଙ୍କୁ ଆଗ ଧାଡିରେ ଦେଖିବାକୁ ମିଳୁଥିଲା । ସେ ଅପରାଜିତ ଷଡଙ୍ଗୀଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡା କରୁ ନ ଥିଲେ । କିନ୍ତୁ ତାଙ୍କର ସବୁ ଅଙ୍କ ଭୁଲ୍ ହୋଇଗଲା ।

ଶ୍ରୀମୟୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ୭ ନିର୍ବାଚନ ମଣ୍ଡଳୀ ବୁଲି ଜନ ସଂପର୍କ ଯୋଡୁଥିଲେ ହେଁ ସେ ଅପରାଜିତାଙ୍କୁ ଚେକ୍ ଦେଇ ପାରିବେ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା । ଅପରାଜିତାଙ୍କ ପରି ବରିଷ୍ଠ ଚେହେରା ବିରୁଦ୍ଧରେ ଶ୍ରୀମୟୀ ମିଶ୍ର ଫ୍ୟାକ୍ଟର କାମ ଦେବନି ବୋଲି ଗୋଟିଏ ବର୍ଗ କହି ଆସୁଥିଲେ । ଆଉ ଶେଷରେ ବହୁତ ବିଚାର ବିମର୍ଶ ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରେ ଯୋଗ ଦେଇଥିବା କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଅପରାଜିତାଙ୍କ ବିରୁଦ୍ଧରେ ପ୍ରାର୍ଥୀ କରିଛି । ଦଳର ଏମିତି ଘୋଷଣା ପରେ ଶ୍ରୀମୟୀ ମିଶ୍ରଙ୍କ ଉପରେ ପାହାଡ ଛିଡିଗଲା ପରି ଲାଗିଥିଲା । କାରଣ ଯେଉଁ ନେତ୍ରୀ ଗତ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଦିନ ରାତି କ୍ଷେତ୍ର ପ୍ରସ୍ତୁତ କରୁଥିଲେ, ଟିକେଟ୍ ମିଳିବ ବୋଲି ଛାମୁଙ୍କଠୁ ଅଭୟ ବାଣୀ ମଧ୍ୟ ଥିଲା । କିନ୍ତୁ ନିର୍ବାଚନ ପାଖେଇବା ସହ ସବୁ ସମୀକରଣ ବଦଳି ଯାଇଥିଲା । ଆଉ ମନ୍ମଥଙ୍କ ଏଂଟ୍ରି ଶ୍ରୀମୟୀଙ୍କ ସବୁ ସ୍ୱପ୍ନ ଭାଙ୍ଗି ଚୁରମାର କରି ଦେଲା ।

ଶେଷ ଥର ଶ୍ରୀମୟୀଙ୍କୁ ମାର୍ଚ୍ଚ ୨୫ ତାରିଖରେ ଏକ କ୍ରୀଡା ଆୟୋଜନରେ ମୁଖ୍ୟ ଅତିଥି ଭାବେ ଦେଖିବାକୁ ମିଳିଥିଲା । ହେଲେ ମାର୍ଚ୍ଚ ୨୭ରେ ଟିକେଟ୍ ଘୋଷଣା ହେବା ଏବଂ ଟିକେଟ୍ ନ ମିଳିବା ପରେ ଗାଏବ ଅଛନ୍ତି ଶ୍ରୀମୟୀ ମିଶ୍ର । ସାମାଜିକ ଗଣମାଧ୍ୟମର କୌଣସି ପ୍ଲାଟଫର୍ମରେ ତାଙ୍କର ପୋଷ୍ଟ ଦେଖିବାକୁ ମିଳୁନି । ତେଣୁ ତାଙ୍କର ପରବର୍ତୀ କାର୍ଯ୍ୟପନ୍ଥା କଣ ହେବ ତାହା ମଧ୍ୟ କିଛି ଜଣା ପଡିନି । କି ତାଙ୍କୁ ଦଳ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଇବା ସେ ନେଇ ମଧ୍ୟ କିଛି ସ୍ପଷ୍ଟ ହୋଇ ନାହିଁ । ଫଳରେ ଶ୍ରୀମୟୀଙ୍କୁ ଆଉ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି । ଲାଗୁଛି ଯେମିତି ଦଳ ପ୍ରତି ତାଙ୍କର ମୋହଭଙ୍ଗ ହୋଇ ଯାଇଛି । ଏବେ ଦେଖିବା ବାକି ରହିଲା ଶ୍ରୀମୟୀ ଗତି କୁଆଡେ ?