ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତ ସିଂହାର, କିଛି ସମୟ ପୂର୍ବେ ଛାଡିଥିଲେ ବିଜେପି


ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖଉଛି ଦଳ ଡିଆଁ ପର୍ବ ଜାରି ରହିଛି । କିଛି ସମୟ ପୂର୍ବରୁ ବିଜେପି ଛାଡିଥିବା ଲେଖାଶ୍ରୀ ସାମନ୍ତ ସିଂହାର ବିଜେଡିରେ ଯୋଗ ଦେଇଛନ୍ତି । ରବିବାର ଶଙ୍ଖ ଭବନ ଆସି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । ଏହା ପୂର୍ବରୁ ସେ ସାମାଜିକ ଗଣମାଧ୍ୟମରେ ବିଜେପି ଛାଡୁଥିବାର ସୂଚନା ଦେଇଥିଲେ ।

ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଛନ୍ତି, ମୋର ଦକ୍ଷତା ଅନୁସାରେ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରିଥିଲି । ଓଡିଶାବାସୀଙ୍କ ସେବା କରିବା ପାଇଁ ମୋର ଯେଉଁ ବୃହତ ଇଚ୍ଛା ଥିଲା ତାହା ବିଜେପି ପୂରଣ କରି ପାରିଲା ନାହିଁ । କଠିନ ପରିଶ୍ରମ କରିବା ସତ୍ୱେ ମୁଁ ଦଳୀୟ ନେତୃତ୍ୱଙ୍କ ନିକଟରେ ଆସ୍ଥାଭାଜନ ହୋଇ ପାରିଲି ନାହିଁ । କୌଣସି କାରଣରୁ ସେମାନେ ମୋ ଉପରେ ଭରସା କରି ପାରିଲେ ନାହିଁ । ତେଣୁ ବିଜେପିରେ ମୋର ଆଉ କୌଣସି ଆବଶ୍ୟକତା ନ ଥିବା ଅନୁଭବ କଲି । ଆଗକୁ ବଢିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ମୁଁ ବିଜେପି ଛାଡି ବିଜେଡିରେ ମିଶିବାକୁ ନିଷ୍ପତି ନେଲି ।

ଉଲ୍ଲେଖନୀୟ ଆଜି ସକାଳେ ଲେଖାଶ୍ର ସାମନ୍ତ ସିଂହାର ଏକ୍ସରେ ପୋଷ୍ଟ କରି ବିଜେପିରୁ ଇସ୍ତଫା ଦେଉଥିବା ସୂଚନା ଦେଇଥିଲେ । ଆଉ ଏବେ ସେ ବିଜେଡିରେ ମିଶିଛନ୍ତି । ଏହା ପୂର୍ବରୁ ବିଜେପିର ଆଗ ଧାଡିର ନେତା ଭୃଗୁ ବକ୍ସିପାତ୍ର ମଧ୍ୟ ନିକଟରେ ବିଜେପି ଛାଡି ବିଜେଡିରେ ମିଶିଥିଲେ । ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ।