ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ନିକଟରେ କଂଗ୍ରେସ ଛାଡିଥିଲେ


ଭୁବନେଶ୍ୱର: ଟିକେଟ୍ ନ ମିଳିବା କିମ୍ବା ନିଜର ରାଜନୈତିକ ମହତ୍ୱକାଂକ୍ଷୀ ପାଇଁ ୨୦୨୪ ସାଧାରଣ ନିର୍ବାଚନରେ ନେତାଙ୍କ ଦଳ ଡିଆଁ ପର୍ବ ଚରମରେ ରହିଛି । ଏହି କ୍ରମରେ ବିଜେଡିରେ ସାମିଲ ହେଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା । ରବିବାର ଶଙ୍ଖ ଭବନ ଆସି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା ଓ ଶଶିଭୂଷଣ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ଗଣେଶ୍ୱର । ନିକଟରେ କଂଗ୍ରେସ ଛାଡିଥିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା ।

ଗଣେଶ୍ୱରଙ୍କ ବିଜେଡିରେ ମିଶିବା ପୂର୍ବରୁ କେନ୍ଦ୍ରାପଡା ବିଜେଡିର ଗୋଟିଏ ଗୋଷ୍ଠୀ ମେଳି ହୋଇ ବିଦ୍ରୋହ କରିଛନ୍ତି । ଦୁଇ ପୂର୍ବତନ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମେତ ଶତାଧିକ ବିଜେଡି କର୍ମୀ ଓ କର୍ମକର୍ତା ବିଦ୍ରୋହ କରିଛନ୍ତି । ବିଜେଡି ଏ ପର୍ଯ୍ୟନ୍ତ ୧୦୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି । ହେଲେ କେନ୍ଦ୍ରାପଡା ପାଇଁ ପ୍ରାର୍ଥୀ ଘୋଷଣା ହୋଇନି । ଏବେ ଗଣେଶ୍ୱର ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କୁ କେନ୍ଦ୍ରାପଡା ଜିଲ୍ଲାର କୌଣସି ସିଟରୁ ଦଳ ପ୍ରାର୍ଥୀ କରି ପାରନ୍ତି ।

କଂଗ୍ରେସରୁ ଇସ୍ତଫା ଦେବା ପରେ ଗଣେଶ୍ୱର କହିଛନ୍ତି, ୨୦୨୪ ନିର୍ବାଚନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଧାନସଭା ଯିବା ଲକ୍ଷ୍ୟ ପୂରଣ ପାଇଁ ମୁଁ ଏଭଳି ନିଷ୍ପତି ନେଇଛି । କଂଗ୍ରେସରେ ରହି ବିଧାନସଭା ଯିବାର ଆଶଙ୍କା ସୃଷ୍ଟି ହେଲା । ସମର୍ଥକ ଓ ଶୁଭେଚ୍ଛୁଙ୍କ ପରାମର୍ଶ ଓ ଆଲୋଚନା ପରେ ଏହି ପଦକ୍ଷେଡ ନେଇଛି । ଦଳ ଛାଡିଛି କିନ୍ତୁ ପ୍ରସଙ୍ଗଠୁ ଦୂରେଇ ଯାଇନି ବୋଲି ଗଣେଶ୍ୱର ବେହେରା କହିଛନ୍ତି ।

ସୂଚନାଯୋଗ୍ୟ, ଗଣେଶ୍ୱର କଂଗ୍ରେସ ଟିକେଟରେ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇରୁ ୧୯୮୫ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ଥିଲେ । ତେବେ ୨୦୦୦ ଓ ୨୦୦୪ ମସିହାରେ ଏହି ଆସନରୁ ଲଢି ହାରିଥିଲେ । ପୁଣି ୨୦୦୯, ୨୦୧୪ ଓ ୨୦୧୯ରେ କେନ୍ଦ୍ରାପଡା ବିଧାନସଭାରୁ ଲଢିଥିଲେ ହେଁ ପ୍ରତିଥର ବିଜେଡି ପ୍ରାର୍ଥୀଙ୍କଠୁ ପରାଜିତ ହୋଇଥିଲେ ।