Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକରେ ପ୍ରଚାର ଜୋର, ଭର୍ତୃହରିଙ୍କ ଆଗରେ ସଂତୃପ୍ତଙ୍କ ପଲ୍ଲା ଭାରି !

କଟକ: ନିର୍ବାଚନୀ ବିଗୁଲ ବାଜିବା ସହ ଜୋର ଧରିଲାଣି ନିର୍ବାଚନ ପ୍ରଚାର । ଚା ଖଟିଠୁ ଆରମ୍ଭ କରି ପ୍ରଚାର ମଇଦାନରେ ପ୍ରାର୍ଥୀ ଓ କର୍ମୀଙ୍କ ଭିଡ । ଏହି କ୍ରମରେ କଟକ ସଂସଦୀୟ କ୍ଷେତ୍ରରେ ମଧ୍ୟ ରାଜନୀତି ଉଷ୍ଣ ହେବାରେ ଲାଗିଛି । ଏଠାରେ ବିଜେପି ପ୍ରାର୍ଥୀ ଭର୍ତୃହରି ମହତାବ ଓ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଜଣେ ଛଅ ଥରର ସାଂସଦ ରହିଥିବା ବେଳେ ଜଣେ ବିଜନେସ୍ ଟାଇକୁନ । ନବାଗତ ବନାମ ପୁରୁଖା ନେତା ମଧ୍ୟରେ ଦୁଲୁକିବ କଟକ ଲୋକସଭା ସିଟ୍ । ସଂତୃପ୍ତ ମିଶ୍ର ନିଜର ଅଭିନବ ଶୈଳୀରେ ପ୍ରଚାର ଆରମ୍ଭ କରି ଦେଲେଣି । ସଂଗଠନ ମଜବୁତ କରିବା ସହ କର୍ମୀଙ୍କୁ ନେଇ ପ୍ରତିଦିନ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ କଟକ ଲୋକସଭା ସିଟ ବିଜେଡିର ଗଡ ରହି ଆସିଛି । ଏହି ଆସନରୁ ଜିତିବା ପାଇଁ ଭର୍ତୃହରିଙ୍କୁ ସେତେଟା ପରିଶ୍ରମ କରିବାକୁ ପଡିନାହିଁ । ସେ ନବୀନ ପଟ୍ଟନାୟକଙ୍କ ଚେହେରାରେ ନିର୍ବାଚନୀ ବୈତରଣୀ ପାରି ହୋଇ ଆସିଥିବା କୁହନ୍ତି ରାଜନୈତିକ ସମୀକ୍ଷକ । ଏହି ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି କର୍ପୋରେଟ୍ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ସନ୍ତୃପ୍ତ ମିଶ୍ର । କଟକ ସହରରେ ମଧ୍ୟ ସନ୍ତୃପ୍ତଙ୍କ ଭଲ ପରିଚୟ ରହିଛି । କଟକର ଗ୍ରାମାଚଂଳରୁ ଯେଉଁ ସବୁ ଭୋଟ୍ ଭର୍ତୃହରିଙ୍କୁ ମିଳୁଥିଲା ସେହି ଭୋଟ୍ ମଧ୍ୟ ବିଜେଡିର ସଂତୃପ୍ତ ମିଶ୍ରଙ୍କୁ ମିଳିବାର ସମ୍ଭାବନା ରହିଛି। କଟକ ଲୋକସଭା କ୍ଷେତ୍ରରେ ଖଣ୍ଡପଡା, ବଡମ୍ବା, ଆଠଗଡ, ବାଙ୍କି, ବାରବାଟୀ କଟକ, ଚୌଦ୍ୱାର କଟକ, କଟକ ସଦର ନିର୍ବାଚନ ମଣ୍ଡଳୀ ରହିଛି । ଏଥିରେ ସବୁ ବିଜେଡିରେ ଦବଦବା ରହିଛି । ଯାହା ସଂତୃପ୍ତଙ୍କୁ ଭର୍ତୁହରିଙ୍କ ତୁଳନାରେ ଆଗରେ ରଖିପାରେ ।

୧୯୯୮ରୁ କଟକ ସଂସଦୀୟ କ୍ଷେତ୍ର ବିଜେଡିର ଗଡ ଭାବେ ରହି ଆସିଛି । ଆଉ ଏଥର ମଧ୍ୟ ଗଡ ବଜାୟ ରଖିବା ଏବଂ ଭର୍ତୃହରିଙ୍କୁ ମାତ୍ ଦେବା ପାଇଁ ସବୁ ଦିଗକୁ ଦୃଷ୍ଟିରେ ରଖି ବିଜେଡି ସଂତୃପ୍ତ ମିଶ୍ରଙ୍କୁ ମଇଦାନକୁ ଓହ୍ଲାଇଛି । ସଂତୃପ୍ତ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିକାଶ ବିଭାଗର ନିର୍ଦ୍ଦେଶକ ପଦରେ ଥିଲେ । ଲୋକଙ୍କୁ କେମିତି ଯୋଡା ଯାଏ ଏବଂ ନେତୃତ୍ୱ ନେଇ କାମ କରାଯାଏ ତାହା ତାର ଢେର ଅଭିଜ୍ଞତା ସଂତୃପ୍ତଙ୍କ ପାଖରେ ରହିଛି । ଆଉ ଏହା ତାଙ୍କୁ ନିର୍ବାଚନ ପ୍ରଚାର ସମୟରେ ବେଶ ସହାୟକ ହେଉଛି । ଭର୍ତୃହରି ଦୀର୍ଘ ଦୁଇ ଦଶନ୍ଧି ଧରି କଟକର ସାଂସଦ ଥିବାରୁ ତାଙ୍କ ବିରୋଧରେ କିଛିଟା ଜନ ଆକ୍ରୋଶ ରହି ଥାଇପାରେ ବୋଲି କୁହାଯାଉଛି । ଆଉ ଯାହାର ଫାଇଦା ସଂତୃପ୍ତଙ୍କୁ ମିଳିପାରେ । ସୂଚନାଯୋଗ୍ୟ, ଭର୍ତୃହରି ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଦଳ ତାଙ୍କୁ କଟକ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ