ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ, କହିଲେ- ବିଜେଡିରେ ଆଉ କିଛି ଆଦର୍ଶ ନାହିଁ


ଭୁବନେଶ୍ୱର: ନିର୍ବାଚନ ଯେତେ ପାଖଉଛି ନେତାଙ୍କ ଦଳ ଛାଡିବା ଏବଂ ଅନ୍ୟ ଦଳରେ ମିଶିବା ଜୋର ଧରିଛି । ବିଜେପି ପରି ବିଜେଡି ମଧ୍ୟ ସେହି ସମାନ ଅବସ୍ଥା ଭୋଗୁଛି । ଏହି କ୍ରମରେ ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସ ପହଂଚି ସେ ତାଙ୍କର ଇସ୍ତଫା ଦେଇଛନ୍ତି । ଟିକେଟ୍ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡିଥିବା କୁହାଯାଉଛି ।

ପ୍ରଭାସ ସିଂ ୨୦୧୪ରୁ ୨୦୧୯ ଯାଏ ବରଗଡର ସାଂସଦ ଥିଲେ । ଗତଥର ତାଙ୍କୁ ଟିକେଟ୍ ଦେଇ ନ ଥିଲା । ସେ ନିର୍ବାଚନ ଲଢିବାକୁ ଆଶାୟୀ ଥିଲେ ହେଁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଏଥର ମଧ୍ୟ ସେ ଟିକେଟ୍ ପାଇଁ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କ ଉପରେ ଭରସା କରି ପାରି ନ ଥିଲା । ତାଙ୍କ ବଦଳରେ ପରିଣୀତା ମିଶ୍ରଙ୍କୁ ବରଗଡ ସିଟରୁ ବିଜେଡି ପ୍ରାର୍ଥୀ କରିଛି । ୨୦୧୯ ଏବଂ ୨୦୨୪ ଦୁଇ ଥର ନିରାଶ ହେବା ପରେ ପ୍ରଭାସ ଶେଷରେ ବିଜେଡି ଛାଡିଛନ୍ତି ।

ବିଜେଡିରୁ ଇସ୍ତଫା ଦେବା ପରେ ପ୍ରଭାସ କହିଛନ୍ତି, ଦଳ ଗଠନରେ ମୁଁ ଗୁଣ୍ଡୁଚି ମୂଷା ପରି କାମ କରିଛି । ବିଜେପୁର ଓ ପଦ୍ମପୁର ଉପ ନିର୍ବାଚନରେ ଦଳ ପାଇଁ କଠିନ ପରିଶ୍ରମ କରିଛି । ବରଗଡ ଜିଲ୍ଲାର ବିକାଶ ପାଇଁ କାମ କରିଛି । ବିଜେଡି ଦଳର ଯେଉଁ ନୀତି, ଆଦର୍ଶ ଥିଲା, ଏବେ ତାହା ଆଉ ନାହିଁ । ଦଳରେ ମୋ ଭଳିଆ ଉଚ୍ଚ ଶିକ୍ଷିତ ବ୍ୟକ୍ତିର ଆବଶ୍ୟକ ନାହିଁ । ଦଳରେ ଏବେ ଯେମିତି କାମ ଚାଲିଛି, ଆମ ଭଳିଆ ଲୋକ ଦଳରେ ଦରକାର ନାହିଁ । ଏଥିପାଇଁ ଦଳରୁ ମୁଁ ଇସ୍ତଫା ଦେଇଛି ।