ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସରୁ ଜବତ ହୋଇଛି ବିସ୍ଫୋରକ ସାମଗ୍ରୀ । ଏହାକୁ ଦେଖି ବିବ୍ରତ ହୋଇପଡ଼ିଛନ୍ତି ସୁରକ୍ଷା କର୍ମୀ। ଏ ବିସ୍ଫୋରକ ସାମଗ୍ରୀ କିଏ ଆଣିଥିଲା ଓ କୋଉଠୁ ଆସିଥିଲା ତାହା ଏଯାଏ ସ୍ପଷ୍ଟ ହୋଇନି। ସକାଳୁ ସକାଳୁ ସୁରକ୍ଷା କର୍ମୀମାନେ ଏହାକୁ ଦେଖିବା ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ଚହଳ ପଡ଼ିଯାଇଥିଲା।
ମୁମ୍ବାଇରୁ ଭୁବନେଶ୍ୱର ଆସୁଥିଲା କୋଣାର୍କ ଏକ୍ସପ୍ରେସ। ଟ୍ରେନ ବୁଧବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲା । ୨ ନମ୍ବର ପ୍ଲାଟଫର୍ମରେ ଗାଡି ଲାଗିଥିଲା । ଭୋର ପ୍ରାୟ ୩ଟା ବେଳେ ସଫେଇ କର୍ମଚାରୀ ବଗି ସଫା କରିବାକୁ ଆସିଥିଲେ । ଏହି ସମୟରେ ସଫେଇ କର୍ମଚାରୀମାନେ ବଗି ଭିତରେ ବୋମା ରହିଥିବା ଜାଣିପାରିଥିଲେ। ଏହାପରେ ସେମାନେ ଜିଆରପି ପୋଲିସକୁ ଜଣାଇଥିଲେ ।
ଜିଆରପି ଖବର ପାଇବା ପରେ ବମ ସ୍କ୍ୱାର୍ଡ ଟିମ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚିଥିଲା । ବମ ସ୍କ୍ୱାର୍ଡ ଟିମ ଦେଖିବା ପରେ ଏହା ବିସ୍ଫୋରକ ବୋଲି ଜଣାପଡି ଥିଲା । ଏହାକୁ ନଦୀ ପଠାକୁ ନିଆଯାଇ ନିଷ୍କ୍ରିୟ କରାଯାଇଥିଲା।। ଏ ନେଇ ଭୁବନେଶ୍ୱର RPF ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏ ଘଟଣାର ତଦନ୍ତ ଚାଲିଛି। ସିସିଟିଭି ଦ୍ବାରା ଏହାର ଯାଞ୍ଚ କରାଯାଉଛି।