ଭୁବନେଶ୍ୱର: ସମ୍ବଲପୁର ଲୋକସଭା ସିଟରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସଙ୍କ ବିଧାନସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସମ୍ବଲପୁରରେ ଧମେନ୍ଦ୍ର ବନାମ ବବି ବିଗ୍ ଫାଇଟ୍ ନେଇ ଯେଉଁ ଆକଳନ ପୂର୍ବାନୁମାନ ସବୁ ଚାଲି ଆସିଛି ସେମିତି କଡା ପ୍ରତିଦ୍ୱନ୍ଦ୍ୱିତା ହେବାର ଆଶା ନାହିଁ ବୋଲି ଲୋକେ କହିଲେଣି । କାରଣ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ସେତେଟା ସକ୍ରିୟ ଥିବା ଦେଖିବାକୁ ମିଳୁନାହିଁ । ବବି ନିଜ ଶୈଳୀରେ ଯେମିତି ପ୍ରଚାର କରନ୍ତି ସେମିତି ପ୍ରଚାର ସମ୍ବଲପୁରରେ କରୁ ନ ଥିବା ଦେଖିବାକୁ ମିଳୁଛି । ଫଳରେ ତାଙ୍କର ବିଧାନସଭା ନିର୍ବାଚନ ଲଢିବାର ଯଥେଷ୍ଟ ସମ୍ଭାବନା ଥିବା କହୁଛନ୍ତି ରାଜନୈତିକ ସମୀକ୍ଷକ ।
ବବିଙ୍କୁ ଯେତେବେଳେ ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ପ୍ରାର୍ଥୀ କରାଗଲା ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । କାରଣ ସମ୍ବଲପୁରବାସୀ କଟକିଆଙ୍କୁ ଗ୍ରହଣ କରିବା ବଡ ମୁସ୍କିଲ । ସେମିତିରେ ବି ପୂର୍ବାଚଂଚଳରେ ବିଜେଡି ପ୍ରତି ଯେତେ ଜନାଧାର ରହିଛି ପଶ୍ଚିମାଂଚଳରେ ସେତେ ଜନାଧାର ନାହିଁ । ତେବେ ସମ୍ବଲପୁର ଅଂଚଳରୁ ପ୍ରାର୍ଥୀ କରା ନ ଯାଇ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରାଗଲା ସେହି ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରି ଆସିଛି । ଏହା ପଛର ସବୁଠୁ ବଡ କାରଣ ହେଉଛି ବିଜେଡି ଓ ବିଜେପି ମଧ୍ୟରେ ମେଂଟ ବା ଭିତିରିଆ ମେଂଟ ଚର୍ଚ୍ଚା ଉପରେ ବ୍ରେକ ଦେବା ପାଇଁ ବିଜେଡି ଜାଣିଶୁଣି ପ୍ରଣବଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୁଦ୍ଧରେ ପ୍ରାର୍ଥୀ କରାଇଛି । ବବିଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରାଇ ବିଜେଡି ଏହି ସନ୍ଦେଶ ଦେବାକୁ ଚେଷ୍ଟା କରିଛି ଯେ, ବିଜେପି ସହ ମେଂଟ ପାଇଁ ଦଳ ଆଗ୍ରହ ନ ଥିଲା ଏବଂ ଲଢେଇ ଜୋରଦାର ହେବ ।
କିନ୍ତୁ ପ୍ରଣବଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ସେତେଟା ଦେଖିବାକୁ ମିଳୁନାହିଁ । ଥରୁଟିଏ ସମ୍ବଲପୁର ଯାଇ ମା ସମଲେଇଶ୍ୱରୀଙ୍କ ଦର୍ଶନ କରିବା ସହ ରେଢାଖୋଲ ନିର୍ବାଚନ ମଣ୍ଡଳୀ ଯାଇ ପ୍ରଚାର କରିଥିଲେ । ପୁଣି ଦେବଗଡ ଗସ୍ତ କରି ଏକ ସଭା କରିଥିଲେ । ଏହା ପରେ ତାଙ୍କୁ ଆଉ ସେଠାରେ ଦେଖିବାକୁ ମିଳୁନାହିଁ । ବବିଙ୍କୁ ଭୁବନେଶ୍ୱର ପାର୍ଟି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ତାଙ୍କର ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢିବା ସେତେଟା ଆଗ୍ରହ ନ ଥିବା ମଧ୍ୟ କୁହାଯାଏ । କେବଳ ବିଜେପି ସହ ବିଜେଡିର ସଂପର୍କ ନ ଥିବାର ସନ୍ଦେଶ ଦେବାକୁ ଯାଇ ସେ ପ୍ରମୁଖ ଯୋଦ୍ଧା ଭାବେ ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ଏହି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ବବି କୋରେଇରୁ ନିର୍ବାଚନ ଲଢି ପାରନ୍ତି । ଯଦି ସେ ବିଧାନସଭା ନିର୍ବାଚନ ଲଢନ୍ତି ତେବେ ଏହି ସନ୍ଦେଶ ଯିବ ଯେ, ସମ୍ବଲପୁର ଲୋକସଭା ସିଟରୁ ନିର୍ବାଚନ ଲଢିବାରେ ତାଙ୍କର କୌଣସି ସ୍ପୃହା ନାହିଁ ଏବଂ ସେ ରାଜ୍ୟ ରାଜନୀତିରେ ନିଜକୁ ସକ୍ରିୟ ରଖିବାକୁ ଚାହାନ୍ତି ।
କୋରେଇରେ ବିଜେପି ଅଭିନେତା ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି । ଦଳରେ ହତାଦାର ହେବା ଏବଂ ତଦଳ ତାଙ୍କ ମୂଲ୍ୟ ବୁଝି ନ ପାରିବ ଅଭିଯୋଗ କରି ନିକଟରେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଆକାଶ ଦାସ ନାୟକ । ୨୦୧୪ରେ କୋରେଇରୁ ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲେ ଆକାଶ । ତେବେ ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ଦେଇ ନ ଥିଲା । ଏଥର ମଧ୍ୟ ଟିକେଟ୍ ନ ମିଳିବାର ସମ୍ଭାବନା ଥିବା ଦେଖି ସେ ବିଜେଡି ଛାଡିଥିଲେ । ଏହି ଆସନରୁ ବିଜେଡି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି । ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଏଠାରୁ ନିର୍ବାଚନ ଲଢି ପାରନ୍ତି ବୋଲି କୁହାଯାଉଛି । ଏମିତି ହେଲେ କୋରେଇରୁ ବବି ବନାମ ଆକାଶ ଫାଇଟ୍ ଦେଖିବାକୁ ମିଳିବ । ବିଜେଡିର ଅବଶିଷ୍ଟ ଆସନ ଘୋଷଣାରେ କୋରେଇ ଆସନରୁ ବବିଙ୍କ ନାଁ ଥିବା ଦେଖିବାକୁ ମିଳିପାରେ ।