କନ୍ଦଳ, ଦଳ ଡିଆଁ; ବିଳମ୍ବ ଘଟୁଛି ତିନି ଦଳର ପ୍ରାର୍ଥୀ ଘୋଷଣା, ଜମୁନି ନିର୍ବାଚନ ପ୍ରଚାର


ଭୁବନେଶ୍ୱର: ନିର୍ବାଚନ ସମୟ ଯେତିକି ପାଖଉଛି ସେତିକି ଆଶାୟୀ ପ୍ରାର୍ଥୀଙ୍କ ସସପେନ୍ସ ବଢିବାରେ ଲାଗିଛି । ବିଜେଡି ଓ ବିଜେପି ପକ୍ଷରୁ ଯେଉଁ ଅବଶିଷ୍ଟ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ, ସେଠାରେ ମାଳ ମାଳ ଆଶାୟୀ ରହିଛନ୍ତି । ବିଶେଷ କରି ଦଳ ଡିଆଁ ନେତାଙ୍କୁ କେଉଁଠୁ ପ୍ରାର୍ଥୀ କରାଯିବ ତାକୁ ନେଇ ଅଙ୍କ କଷୁଛନ୍ତି ବିଜେପି ଓ ବିଜେଡି । ଫଳରେ ବିଳମ୍ବ ହେବାରେ ଲାଗିଛି ପ୍ରାର୍ଥୀ ଘୋଷଣା । ଯେଉଁ ଆସନରେ ପ୍ରାର୍ଥୀ ଘୋଷଣା ସରିଛି ସେଥିରୁ କିଛି ଆସନରେ ବିଦ୍ରୋହ ମଧ୍ୟ ଦେଖା ଦେଇଛି । ଫଳରେ ଅଳ୍ପ କିଛିଟା ସିଟର ପ୍ରାର୍ଥୀଙ୍କୁ ବାଦ ଦେଲେ ଅନ୍ୟ ସବୁଠି ପ୍ରଚାର ଧିମା ଥିବା ଦେଖିବାକୁ ମିଳିଛି । ଯେମିତି ପ୍ରଚାର ହେବା କଥା ସେମିତି ହେଉ ନାହିଁ ।

ଲୋକସଭା ସିଟ୍ ପାଇଁ ବିଜେପି ସବୁ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ଏବେ ବି ବିଧାନସଭାର ୩୫ଟି ସିଟ୍ ଘୋଷଣା କରିବା ବାକି ରହିଛି । ଦଳ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୧୨ଟି ଆସନରେ ପ୍ରାର୍ଥୀ ତାଲିକା ଜାରି କରି ସାରିଛି । ଆଉ ତାଲିକା ଆସିବା ପରଠୁ ଦଳରୁ ଅନେକ ନେତା ପାର୍ଟି ଛାଡି ସାରିଥିବା ବେଳେ ଅନେକ ଆସନରେ ପ୍ରାର୍ଥୀ କରାଯାଇଥିବା ନେତାଙ୍କୁ ଦଳରୁ ବିରୋଧ କରାଯାଉଛି । ଫଳରେ ଦଳର ବାକି ଆସନରେ ପ୍ରାର୍ଥୀ ଦେବାରେ ବିଳମ୍ବ ଘଟିବାରେ ଲାଗିଛି । ଦଳ ମାପିଚୁପି ପଦକ୍ଷେପ ନେଉଛି ।

ଠିକ୍ ସମାନ ଅବସ୍ଥା ବିଜେଡି ରହିଛି । ଦଳ ତିନୋଟି ପର୍ଯ୍ୟାୟରେ ୧୦୮ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି । ଦଳକୁ ମଧ୍ୟ ଟିକେଟ୍ ଘୋଷଣାରେ ବିଜେପି ଅପେକ୍ଷା ଅଧିକ ଚାପର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଦଳ ପ୍ରଥମ ପର୍ଯ୍ୟାୟରେ ୭୨, ୨ୟ ପର୍ଯ୍ୟାୟରେ ୨୭ ଏବଂ ୩ୟ ପର୍ଯ୍ୟାୟରେ ମାତ୍ର ୯ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି । ଦଳକୁ ଆଉ ୩୯ଟି ସିଟରେ ପ୍ରାର୍ଥୀ ଦେବା ବାକି ରହିଛି ଯାହା ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି । ଦଳ କଷ୍ଟେ ମଷ୍ଟେ ୨୦ଟି ଲୋକସଭା ସିଟରେ ପ୍ରାର୍ଥୀ ଘୋଷଣା କରି ସାରିଛି । ବାଲେଶ୍ୱରରୁ କାହାକୁ ଦଳ ପ୍ରାର୍ଥୀ କରିବ ତାକୁ ନେଇ ମାନସ ମନ୍ଥନ ଚଳାଇଛି ।

ଆଉ ସବୁଠୁ ଆଗରେ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଥିବା କଂଗ୍ରେସ ଟିକେଟ୍ ଦେବାରେ ବହୁ ପଛରେ ରହିଛି । ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେବାର କାରଣ ଦଳରୁ ନେତା ଛାଡି ବିଜେଡିରେ ମିଶିବାରେ ଲାଗିଛନ୍ତି । ଦଳ ଅଦ୍ୟାବଧି ବିଧାନସଭାରେ ମାତ୍ର ୪୯ ଏବଂ ଲୋକସଭା ପାଇଁ ୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ବାକି ଆସନରେ କେବେ ପ୍ରାର୍ଥୀ ଦେବ ତାହା ମଧ୍ୟ କହିବା ମୁସ୍କିଲ । ଦଳରୁ ନେତା ଛାଡୁଥିବା ବେଳେ ଯୋଗ ଦେଉ ନାହାନ୍ତି ।

ରାଜ୍ୟରେ ନିର୍ବାଚନୀ ପ୍ରଚାର ଏବେ ସୁଦ୍ଧା ଜୋର ଧରିନାହିଁ । ଯେଉଁ ଆସନରେ ପାର୍ଟି ଭିତରେ କନ୍ଦଳ ନାହିଁ ଏବଂ ବିରୋଧାଭାସ ନାହିଁ ସେଠାରେ ଦଳୀୟ ପ୍ରାର୍ଥୀ ଓ କର୍ମୀ ପ୍ରଚାରରେ ଜୁଟିଛନ୍ତି । ଅନ୍ୟପଟେ କିଛି ଦିନ ହେବ ରାଜନୀତି ଶାନ୍ତ ପଡିଥିବା ଦେଖିବାକୁ ମିଳିଛି । କିଏ ଦଳ ଛାଡୁଛି ଏବଂ କେଉଁ ଦଳରେ ସାମିଲ ହେଉଛନ୍ତି ସେହି ଖବର ହିଁ ରାଜନୀତିରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ବିଶେଷ କରି ଲୋକସଭା ପ୍ରାର୍ଥୀ ନିର୍ବାଚନୀ ପ୍ରଚାରରେ ଜୁଟିଥିବା ବେଳେ ବିଧାୟକ ପ୍ରାର୍ଥୀ ମଇଦାନକୁ ସେତେଟା ଓହ୍ଲାଇ ନାହାନ୍ତି ।