ଭୁବନେଶ୍ୱର: ବିଜେପିରେ ମିଶିବା ପରେ ଏବଂ କଟକରୁ ପୁଣି ଥରେ ପ୍ରାର୍ଥୀ ହେବା ପରେ ବିଜେଡି ସରକାର ବିରୋଧରେ ନିଜର ସ୍ୱର ଶାଣିତ କରି ଚାଲିଛନ୍ତି ଛଅ ଥରର କଟକ ସାଂସଦ ଭର୍ତୃହରି ମହତାବ । ନିକଟରେ ଓଡିଆ ଭାଷା ପ୍ରୀତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସମାଲୋଚନା କରିଥିବା ଭର୍ତୃହରି ଆଜି ଜଳ ସମସ୍ୟା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ।
କଟକ ସାଂସଦ କହିଛନ୍ତି, ଉତର ଓଡିଶାରେ ୪ ନଦୀ ଶୁଖିଲା ପଡିଛି । ମହାନଦୀ ପାଣି ପିଇବା ଯୋଗ୍ୟ ରହିନାହିଁ । ହୀରାକୁଦରେ ଜଳସ୍ତର କମିବାରେ ଲାଗିଛି । ସେପଟେ ରାଜ୍ୟ ସରକାର ଶିଳ୍ମକୁ ପାଣି ଯୋଗାଇ ଚାଲିଛନ୍ତି । ପ୍ରଥମେ ପାନୀୟ ଜଳ, ତା ପରେ ଚାଷୀ ଏବଂ ଶେଷରେ ଶିଳ୍ପକୁ ପାଣି ଦେବା କଥା। କିନ୍ତୁ ରାଜ୍ୟ ସରକାର ଓଲଟା କରି ଚାଲିଛନ୍ତି । ପ୍ରଥମେ ଶିଳ୍ପ ତା ପରେ ଯାଇ ଅନ୍ୟ କଥା । କେନ୍ଦ୍ର ସରକାର ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଆବଂଟନ କରିଛନ୍ତି । ତଥାପି ଜଳ ସଂରକ୍ଷଣ ଓ ବିନିଯୋଗ କରିବାରେ ରାଜ୍ୟ ସରକାର ବିଫଳ । ମହାନଦୀ ଉଭୟ ପଟୁ ରହୁଥିବା କଟକବାସୀ ବହୁ ସମସ୍ୟା ଭୋଗୁଛନ୍ତି । ସମ୍ବଲପୁରରେ ହଇଜା ଓ କଟକରେ ଜଣ୍ଡିସ୍ ଏହା ସୂଚାଉଛି ଯେ, ଶାସନ ଠିକ୍ ଚାଲୁନି ।
ଏହା ପୂର୍ବରୁ କଟକର ବିଜେପି ସାଂସଦ ପ୍ରାର୍ଥୀ ଭର୍ତୃହରି କହିଥିଲେ ଓଡିଆ ଅସ୍ମିତାର ଉଦ୍ଧାର, ପୁନଃପ୍ରତିଷ୍ଠା ହେଉଛି ଏଥରର ପ୍ରସଙ୍ଗ । ସେହି କଥା ନେଇ ଆମେ ଏଥର ପ୍ରତି ଅଂଚଳ ଯିବୁ । ଯେଉଁମାନେ ଓଡିଆ ଅସ୍ମିତା ବୁଝି ନାହାନ୍ତି ସେମାନେ ମାନେ ପଚାରିବେ । ସବୁଠୁ ବଡ କଥା ହେଲା ଓଡିଆ ଭାଷାକୁ ନେଇ ଗର୍ବ ଅନୁଭବ କରିବା । ଭର୍ତ୍ତୃହରି କହିଥିଲେ, ଆମେ କୋଣାର୍କକୁ ନେଇ ଗର୍ବ କରୁଛୁ, ଜଗନ୍ନାଥଙ୍କୁ ନେଇ ଗର୍ବ କରୁଛୁ। ଓଡ଼ିଆ ଭାଷା ଓ ଜାତିକୁ ନେଇ ଗର୍ବ କରୁଛୁ। ମଣିଷର ପରିଚୟ ଆସେ ସେତେବେଳେ, ସେ କଥା କହେ। ଯେଉଁ ଭାଷାରେ କଥା କହେ, ସେଥିରୁ ଜଣାପଡ଼େ ଯେ ସେ କେଉଁ ଭାଷାଭାଷି । ଯେଉଁ ଭାଷାରେ କଥା କୁହେ, ସେତେବେଳେ କେଉଁ ଭାଷାଭାଷି ଜଣା ପଡେ । ରୋମାନ ଲିପିରେ ଲିଖିତ ଓଡିଆ ପଢିଲେ ଅସ୍ମିତା ପ୍ରତିଷ୍ଠା ହୁଏନି ।