କଟକ: ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ବଡ ଝଟକା । ତାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ଉଚ୍ଚ ନ୍ୟାୟାଳୟ । ଏହି ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ।
ଗତ ମାର୍ଚ୍ଚ ୪ ତାରିଖରେ ଓଆରଏଚଡିସି ଦୁର୍ନୀତି ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ତାଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ମୋକିମ୍ଙ୍କ ସହିତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଲେଖାଏଁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଇଥିଲେ କୋର୍ଟ। ଜରିମାନା ଅନାଦେୟ ହେଲେ ସେମାନେ ଅଧିକ ୬ ମାସ ଜେଲ୍ରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ।