ଭୁବନେଶ୍ୱର: ଯଦି ସରକାର ଚଲାଇ ପାରୁ ନାହାନ୍ତି ତେବେ ନବୀନ ବାବୁ ଅବସର ନେଇ ଯାଆନ୍ତୁ । ଓଡିଶା ଜାତିକୁ ଅନ୍ୟ ହାତରେ ଟେକି ଦିଅନ୍ତୁ ନାହିଁ । ଏମିତି ଶାଣିତ ସ୍ୱରରେ ବିଜେଡି ଦଳ ଓ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ।
ବିଜୁ ଜନତା ଦଳକୁ କଡା ସମାଲୋଚନା କରି ଦେବାଶିଷ ନାୟକ ବୁଧବାର ପ୍ରେସମିଟରେ ଦମ୍ଭୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଏଥର ବିଜେପି ସମସ୍ତ ୨୧ ଲୋକସଭା ଆସନ ଜିତିବ । ଓଡିଶାରେ ଡଲବଲ ଇଞ୍ଜିନ ସରକାର ହେବ ଏବଂ ରାଜ୍ୟର ବିକାଶ ଘଟିବ । ମେଂଟ ପାଇଁ ବିଜେପି ନୁହେଁ ବିଜେଡି ଗୋଡାଉଥିଲା । ନବୀନ ବାବୁ ଓଡିଶା ଜାତିକୁ ଅନ୍ୟ ହାତକୁ ଟେକି ଦିଅନ୍ତୁ ନାହିଁ । ନବୀନ ବାବୁ ଯଦି ସରକାର ଚଳାଇ ପାରୁ ନାହାନ୍ତି ତେବେ ଅବସର ନେଇ ଯାଆନ୍ତୁ । ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେଣି, ଏବେ ଅବସର ନିଅନ୍ତୁ ନବୀନ । ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇ ଅବସର ନେଇ ଯାଆନ୍ତୁ । ଚଳିତ ନିର୍ବାଚନ ନିର୍ଣ୍ଣାୟକ ହେବ । ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ।
ସୂଚନାଯୋଗ୍ୟ, ମାର୍ଚ୍ଚ ୫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ପରଠୁ ପାଖାପାଖି ଗୋଟିଏ ମାସ ଧରି ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ଚର୍ଚ୍ଚା ଲାଗି ରହିଥିଲା । ଏହାକୁ ନେଇ ଦିଲ୍ଲୀରେ ବିଜେପି ମୁଖ୍ୟାଳୟ ଏବଂ ରାଜଧାନୀ ଭୁବନେଶ୍ୱରରେ ନବୀନ ନିବାସରେ ଉଭୟ ଦଳ ନିଜର ନିଜର ଘନ ଘନ ବୈଠକ ଚଲାଇଥିଲେ । ତେବେ ଆସନ ଅଙ୍କ ନ ଛିଣ୍ଡିବାରୁ ଶେଷ ମୁହୂର୍ତରେ ମେଂଟ ହୋଇ ପାରି ନ ଥିଲା । ମେଂଟ ନ ହେବା ବିଜେଡିକୁ ଯେତେ ଖୁସି କରି ନ ଥିଲା ତାଠୁ ଅଧିକ ଖୁସି ରାଜ୍ୟ ବିଜେପି ପାଳନ କରିଛି । ଏହା ପରଠୁ ରାଜ୍ୟ ବିଜେପି ସମାଲୋଚନା କରି ଆସିଛି ଯେ, ମେଂଟ ପାଇଁ ବିଜେଡି ବ୍ୟାକୁଳ ଥିଲା ।