Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଦେବଙ୍କ କ୍ଷମା ପ୍ରାର୍ଥନା ଖାରଜ, ସୁପ୍ରିମକୋର୍ଟ କହିଲେ- ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ପୁଣି ଥରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଆପଣେଇଛନ୍ତି । ଅଦାତଲ ମାମଲାରେ ବାବା ରାମଦେବ ଓ ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କ କ୍ଷମା ଯାଚିକାକୁ ଖାରଜ କରିଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଉଭୟଙ୍କ କ୍ଷମା ଯାଚିକାକୁ ଗ୍ରହଣ ନ କରି ଉଭୟଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥିସହ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ବି ଚେତାଇ ଦେଇଛନ୍ତି ।

ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ହିମା କୋହଲି ଓ ଏ. ଅମାନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆମେ ଉଦାର ହୋଇ ପାରିବୁ ନାହିଁ । ଆମେ ଅନ୍ଧ ନୁହେଁ, ସବୁ ଜିନିଷ ଭଲ କି ଦେଖି ପାରୁଛୁ । ଜାଣିଶୁଣି ତିନି ତିନି ଥର ଆମ ନିର୍ଦ୍ଦେଶକୁ ବେଖାତିର କରାଯାଇ ନିୟମକୁ ଉଲ୍ଲଘଂନ କରାଯାଇଛି। ତେଣୁ ଆମେ ଉଭୟଙ୍କ କ୍ଷମାକୁ ଗ୍ରହଣ କରିବୁ ନାହିଁ।

ପତଞ୍ଜଳି ପକ୍ଷରୁ ହାଜର ଓକିଲ ମୁକୁଲ ରୋହତଗୀ କହିଛନ୍ତି ଲୋକଙ୍କ ଦ୍ୱାରା ବେଳେ ବେଳେ ଭୁଲ୍ ହୋଇଯାଏ । ଏହାର ଉତରରେ ଅଦାଲତ କହିଛନ୍ତି ଭୁଲ୍ ଯଦି କରିଛନ୍ତି ତେବେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ । ମାମଲାରେ ଆମେ ଉଦାର ହୋଇ ପାରିବୁ ନାହିଁ । ଅଦାଲତର ଶୁଣାଣି ଆରମ୍ଭରେ ମୁକୁଲ ରୋହତଗି ବାବା ରାମଦେବଙ୍କ ବୟାନ ପଢିଥିଲେ ଏବଂ କହିଛନ୍ତି ତାଙ୍କ ମହକିଲ ନିଃସର୍ତ କ୍ଷମା ପ୍ରାର୍ଥନା କରୁଛନ୍ତି । ଜଷ୍ଟିସ କୋହଲି କେନ୍ଦ୍ର ସରକାରଙ୍କୁ ତାଗିଦ କରି କହିଛନ୍ତି ଯେ, ଆପଣ ଜାଣିଶୁଣି ମାମଲା ଉପରେ ପରଦା ପକାଇବାକୁ ଚେଷ୍ଟା କରୁଥିବା ଲୋକଙ୍କ ସହ ସାମିଲ ହେଲେ । ଆପଣଙ୍କ ଅଧିକାରୀ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ।

ବିଚାରପତି କହିଛନ୍ତି, ଏହି ମାମଲା ନ୍ୟାୟଳୟରେ ନ ପହଞ୍ଚିବା ପର‌୍ୟ୍ୟନ୍ତ ଆଇନ ଖିଲାପକାରୀମାନେ ଆମ ନିକଟକୁ ନିଜ କ୍ଷମା ପ୍ରାର୍ଥନା ପତ୍ର ପଠାଇବାକୁ ଉଚିତ ମଣିଲେ ନାହିଁ। ସେମାନେ ପ୍ରଥମେ ଏହାକୁ ଗଣମାଧ୍ୟମ ନିକଟକୁ ପଠାଇଲେ। ଗତକାଲି ରାତି ସାଢେ ୭ଟା ପର‌୍ୟ୍ୟନ୍ତ ଏହା ଆମ ପାଇଁ ଅପଲୋଡ ହୋଇ ନ ଥିଲା। ତେଣୁ ସେମାନେ ପ୍ରକୃତରେ ପ୍ରଚାର ଉପରେ ବିଶ୍ୱାସ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ