ପକ୍ଷ ରଖିବାକୁ ସୁଯୋଗ ଦେଲେନି, ମତାମତ ନ ନେଇ ଏକତରଫା ନିଷ୍ପତି ନେଇଛନ୍ତି ସରକାର: ଅରବିନ୍ଦ ଢାଲି


ଭୁବନେଶ୍ୱର: ନିର୍ବାଚନ ସମୟରେ ୨ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି । ଏ ନେଇ ଗୁରୁବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଦିନ ତଳେ ଉଭୟ ବିଜେଡି ଛାଡି ବିଜେପିରେ ମିଶିଥିଲେ । ସଭ୍ୟ ପଦ ରଦ୍ଦର କୌଣସି ପ୍ରଭାବ ନିର୍ବାଚନ ଉପରେ ପଡିବ ନାହିଁ ଅରବିନ୍ଦ ଢାଲି କହିଛନ୍ତି।

ସଭ୍ୟ ପଦ ରଦ୍ଦକୁ ନେଇ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି, ସଭ୍ୟ ପଦ ରଦ୍ଦ କରିବା ସ୍ୱାଭାବିକ । ମୋ ପାଇଁ ଯାହା ଅନ୍ୟ ମାନଙ୍କ ପାଇଁ ବି ସମାନ । ସଭ୍ୟ ପଦ ରଦ୍ଦ ପୂର୍ବରୁ ପକ୍ଷ ରଖିବାକୁ ସୁଯୋଗ ଦେବାର ଥିଲା । ଉଦ୍ଦେଶ୍ୟମୂଳକ ଭାବେ ମତାମତ ନେଲେନି । ମତାମତ ନ ନେଇ ଏକତରଫା ନିଷ୍ପତି ନେଇଛନ୍ତି ସରକାର । ପକ୍ଷ ରଖିବାକୁ ଆଉ ଥରେ ସୁଯୋଗ ଦିଅନ୍ତୁ । ସଭ୍ୟ ପଦ ରଦ୍ଦର କୌଣସି ପ୍ରଭାବ ନିର୍ବାଚନ ଉପରେ ପଡିବ ନାହିଁ ।

ଦଳ ବିରୋଧୀ ଆଇନ ଅନୁସାରେ ବାଚସ୍ପତି ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ଅରବିନ୍ଦ ଢାଲି ହେଉଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ଛଅ ଥରର ବିଧାୟକ । ସେ ବିଜେଡି ଛାଡି ମାର୍ଚ୍ଚ ୩ ତାରିଖରେ ବିଜେପିରେ ଯୋଗ ଦେଇଥିଲେ । ସେ କହିଥିଲେ ବିଜେଡିରେ ରହି ନେତାମାନେ ଶ୍ଵାସରୁଦ୍ଧ ହୋଇଗଲେଣି। ବିଜେଡିରେ ବରିଷ୍ଠ ନେତାଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ମିଳୁନି। ଏବେ ମଙ୍ଗ ଧରିଥିବା ଯୁବକମାନେ ଭୁଲି ଯାଇଛନ୍ତି ଯେ, ଓଲ୍ଡ ଇଜ୍ ଗୋଲ୍ଡ। ଜଣେ ବିଧାୟକ ଥିବା ସ୍ଥଳେ ଆଉ ୩ ଜଣଙ୍କୁ ପ୍ରୋଜେକ୍ଟ କରୁଛନ୍ତି। ମୋ ବିରୋଧରେ ସମାନ୍ତରାଳ ସଂଗଠନ ଛିଡା କଲେ। ଯେଉଁଠି ମାନ ସମ୍ମାନ ନାହିଁ, ସେଠି ସ୍ଥାନ ଛାଡ଼ିଦେବା ଉଚିତ। ସେଥିପାଇଁ ଘରବାହୁଡ଼ା କଲି। ବିଜେପିରେ ଥିଲେ ଏବଂ ଶେଷ ଯାଏଁ ରହିବି।