ସମ୍ବଲପୁର: ଲୋକସଭା ନିର୍ବାଚନରେ ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ଯେମିତି ସମ୍ବଲପୁର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ଠିକ୍ ସେହିପରି ବିଧାନସଭା ଆସନ ମଧ୍ୟରେ ସେହି ସମ୍ବଲପୁର ଏବେ ଖବରର ଶିରୋନାମା ପାଲଟିଛି । ବିଜେପିର ଟାଣୁଆ ନେତା ଜୟ ନାରାୟଣ ମିଶ୍ରଙ୍କ ବିପକ୍ଷରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ପୁରୁଖା ନେତାଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ଫଳରେ ସମ୍ବଲପୁର ସିଟରେ ଏହି ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ହେବାକୁ ଯାଉଛି କଡା ମୁକାବିଲା । ଏହି ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନରେ ଥିବା ବେଳେ ବିଜେଡି ପକ୍ଷରୁ ରହିଛନ୍ତି ଦଳର ସାଧାରଣ ସଂଗଠକ ପ୍ରଣବ ପ୍ରକାଶ ଦାସ । ତେଣୁ ରାଜ୍ୟରେ ସବୁଠୁ ରୋଚକ ମୁକାବିଲା ପଶ୍ଚିମ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ ହେବାକୁ ଯାଉଛି ।
ପଶ୍ଚିମ ଓଡିଶାରୁ ନେତୃତ୍ଵ ନିର୍ଦ୍ଧାରଣ କରୁଥିବା ଏହି ଆସନ କବଜା କରିବା ପାଇଁ ବିଜେପି ଏବଂ ବିଜେଡି ଶିବିରରେ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କଂଗ୍ରେସ ଟିକେ ଧିମେଇ ଯାଇଥିଲେ ବି ସକ୍ରିୟ ହୋଇ ଉଠିଲାଣି। କାରଣ ପଶ୍ଚିମ ଓଡିଶାର ନେତୃତ୍ଵ ସମ୍ବଲପୁରରୁ ହିଁ ନିର୍ଦ୍ଧାରଣ ହୋଇଥାଏ। ସମ୍ବଲପୁର ନିର୍ବାଚନ ମଣ୍ଡଳୀ ହେଉଛି ବିଜେପିର ଗଡ। ଏଠାରେ କେବଳ ଥରୁଟିଏ ମାତ୍ର ବିଜେଡି ଜିତିବାରେ ସକ୍ଷମ ହୋଇଥିଲା। ୩ ଲକ୍ଷ ଭୋଟର ଥିବା ସମ୍ବଲପୁର ଏଥର ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇସାରିଛି । ବିଧାୟକ ଜୟ ନାରାୟଣ ମିଶ୍ର ବର୍ତ୍ତମାନ ବିଧାନସଭାର ବିରୋଧୀ ଦଳ ନେତା। ଜୟ ନାରାୟଣ ମିଶ୍ର ଚାରି ଥର ଏହି ଗୁରୁତ୍ଵପୂର୍ଣ୍ଣ ଆସନରୁ ବିଜୟ ହାସଲ କରି ସାରିଛନ୍ତି। ଏଥର ମଧ୍ୟ ବିଜୟ ଲାଭ କରିବାକୁ ଅଂଟା ଭିଡିଛନ୍ତି।
ସେପଟେ ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ପ୍ରସନ୍ନ ହେଉଛନ୍ତି ଜଣେ ପୁରୁଖା ଏବଂ ଅଭିଜ୍ଞ ନେତା । ବିଜୁ ବାବୁ ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ରାଜ୍ୟସଭାର ସଦସ୍ୟ ମଧ୍ୟ ରହି ସାରିଛନ୍ତି । ବରଗଡ, ବିଜେପୁର, ରେଢାଖୋଲ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତିଛନ୍ତି । ତେବେ ୨୦୧୯ରେ ପ୍ରସନ୍ନ ବରଗଡ ଲୋକସଭା ସିଟରୁ ନିର୍ବାଚନ ଲଢି ସୁରେଶ ପୂଜାରୀଙ୍କଠୁ ପରାଜିତ ହୋଇଥିଲେ । ତଥାପି ଜୟ ନାରାୟଣଙ୍କୁ ତାଙ୍କ ଗଡରେ ମାତ୍ ଦେବା ପାଇଁ ଦଳ ରାସେଶ୍ୱରୀ ପାଣିଗ୍ରାହୀଙ୍କ ବଦଳରେ ପ୍ରସନ୍ନଙ୍କୁ ପ୍ରାର୍ଥୀ କରିବାକୁ ଦଳ ଉଚିତ୍ ମନେ କରିଛି ।
୨୦୦୦, ୨୦୦୪ ଏବଂ ୨୦୦୯ରେ କ୍ରମାଗତ ଏହି ସିଟରେ ବିଜୟୀ ହୋଇଥିଲେ ବିଜେପି ନେତା ଜୟ ନାରାୟଣ ମିଶ୍ର । ୨୦୧୪ରେ ଥରୁଟିଏ ବିଜେଡି ପ୍ରାର୍ଥୀ ରାସେଶ୍ଵରୀ ପାଣିଗ୍ରାହୀ ବିଜୟ ଲାଭ କରି ପାରିଥିଲେ। ସେ ଜୟନାରାୟଣଙ୍କୁ ହରାଇବାରେ ସଫଳ ହୋଇଥିଲେ ହେଁ ୨୦୧୯ରେ ପୁଣି ଥରେ ପରାଜିତ ହୋଇଥିଲେ ଏବଂ ଜୟ ନାରାୟଣ ନିଜ ଗଡକୁ ପୁଣି ଥରେ ନିଜ ଦଖଲକୁ ନେଇଥିଲେ । ଆଉ ବିଳମ୍ବ ହେଉ ପଛେ ଜୟନାରାୟଣଙ୍କୁ ବିଜେପି ବିଧାନସଭାରେ ବିରୋଧୀ ଦଳ ନେତା ମନୋନୀତି କରିଥିଲା ।
ଏଥର ଏହି ଆସନରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯିବାର ଯଥେଷ୍ଟ ସମ୍ଭାବନା ଥିଲା । କିନ୍ତୁ ରୋହିତ ପୂଜାରୀ ଗତ ଦେଢ ବର୍ଷ ସମ୍ବଲପୁରରେ ତାଙ୍କୁ ଟିକେଟ୍ ଦିଆଯାଉ ବୋଲି ହାଇକମାଣ୍ଡଙ୍କ ନିକଟରେ ଲବି କରି ଆସୁଥିଲେ । ଫଳରେ ସମ୍ବଲପୁର ବିଜେଡିରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସେଶ୍ୱରୀ ନିଜର ସଂଗଠନ ଗଢିଥିବାରୁ ସେ ମଧ୍ୟ ନଇଁବାକୁ ପ୍ରସ୍ତୁତ ନ ଥିଲେ । ଶେଷରେ ବିଜେଡି ଦଳୀୟ କନ୍ଦଳକୁ ପ୍ରଶମିତ କରିବା ଏବଂ ଜୟ ନାରାୟଣଙ୍କ ବିରୁଦ୍ଧରେ ବଡ ଚେହେରା ଭାବେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ଦୁଇ ନେତା ବେଶ ପୁରୁଖା ଏବଂ ରାଜନୀତିରେ ବେଶ ଅଭିଜ୍ଞ । ପରସ୍ପରକୁ କେମିତି ମାତ୍ ଦେଇ ହେବ ସେ ଅଙ୍କ ଉଭୟଙ୍କୁ ଜଣା । ତେଣୁ ଜୟ ନାରାୟଣ ଓ ପ୍ରସନ୍ନଙ୍କ ମଧ୍ୟରେ କଡା ଟକ୍କର ହେବା ଥୟ । ସମ୍ବଲପୁରବାସୀ କାହାକୁ ଗ୍ରହଣ କରିବେ ତାହା ଦେଖିବା ବାକି ରହିଲା