ଭୁବନେଶ୍ୱର: ଓଡିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନରେ ମତଦାନ ପାଇଁ ଆଉ ଆଉ ଗୋଟିଏ ମାସ ସମୟ ବାକି ରହିଛି । ପ୍ରଥମ ପର୍ଯ୍ୟାୟ ଭୋଟିଂ ମେ ୧୩ ତାରିଖ ହେବ । ତଥାପି ଏ ପର୍ଯ୍ୟନ୍ତ କୌଣସି ଦଳ ସବୁ ଆସନରେ ପ୍ରାର୍ଥୀ ଘୋଷଣା କରି ପାରି ନାହାନ୍ତି । ସେ ବିଜେପି ହେଉ କି ବିଜେଡି ଅବା କଂଗ୍ରେସ ସବୁ ରାଜନୈତିକ ଦଳ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି । ବୋଧହୁଏ ପ୍ରଥମ ଥର ଏମିତି ଦେଖିବାକୁ ମିଳୁଛି ଯେଉଁଠି ଏହି ତିନି ଦଳ ମଧ୍ୟରେ କେଉଁଠି ନା କେଉଁଠି ଟିକେଟ୍ ବଂଟନକୁ ନେଇ ଭୟ ରହୁଛି । ସେପଟେ ଶାସକ ବିଜୁ ଜନତା ଦଳର ମଧ୍ୟ ଆତ୍ମ ବିଶ୍ୱାସ ଦୋହଲି ଯାଇଥିବା ପ୍ରତୀତମାନ ହେଉଛି । ପ୍ରଥମ ଥର ସବୁ ଦଳ ନିଜ ଦମରେ ବିଧାନସଭା ନିର୍ବାଚନ ଲଢିବା ନେଇ କେଉଁଠି କେଉଁଠି ବ୍ୟାକଫୁଟରେ ରହିଛନ୍ତି ।
ବିଜେଡି ଦଳ ଉପରେ ନଜର ପକାଇଲେ ଏଥର ନିର୍ବାଚନେ ଦଳ ଏତେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି କେବେ ଭାବି ନ ଥିବ । ପ୍ରତି ଥର ସହଜରେ ନିର୍ବାଚନୀ ବୈତରଣୀ ପାରି ହୋଇ ଯାଉଥିବା ବିଜେଡିକୁ ଏଥର କଡା ଟକ୍କର ମିଳୁଛି । ତେବେ ଦଳ ପାଇଁ ସବୁଠୁ ବଡ ଚିନ୍ତା ଦେଇଛି ପ୍ରାର୍ଥୀ ଘୋଷଣା । କାରଣ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ଏବଂ ଅନେକ ଆଶାୟୀ ରହିବାରୁ ଦଳରେ ବିଦ୍ରୋହ ସୃଷ୍ଟି ହେଉଛି, ଯାହା ଦଳର ସାଂଗଠନିକ ସ୍ଥିତିକୁ ଦୋହଲାଇ ଦେଉଛି । ତେଣୁ ଦଳ ଟିକେଟ୍ ବଂଟନରେ ତରବରିଆ ନ ହୋଇ ପର୍ଯ୍ୟାୟକ୍ରମେ ଦେଖି ଚାହିଁ ପ୍ରାର୍ଥୀ ତାଲିକା ଘୋଷଣା କରୁଛି । ପ୍ରଥମ ପର୍ଯ୍ୟାୟରେ ଦଳ ୭୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୨୭ଟି, ତୃତୀୟ ୯ ଓ ଚତୁର୍ଥ ପର୍ଯ୍ୟାୟରେ ୯ଟି ପ୍ରାର୍ଥୀ ଘୋଷଣା କରିଛି । ସବୁ ମିଶାଇ ୧୪୭ରୁ ୧୧୭ଟି ଆସନରେ ବହୁ କଷ୍ଟରେ ପ୍ରାର୍ଥୀ ଦେଇ ପାରିଛି ଦଳ । ଏବେ ମଧ୍ୟ ଆହୁରି ୩୦ଟି ଆସନରେ ଟିକେଟ୍ ଘୋଷଣା ବାକି ରହିଛି । ଦଳରୁ ନେତା ଛାଡି ବିଜେପିରେ ମିଶିବା ମଧ୍ୟ ଦଳର ରଣନୀତି ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ବିଜେଡି ୪ଟି ପର୍ଯ୍ୟାୟରେ ମଧ୍ୟ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲା । ପ୍ରଥମେ ୯ଟି, ଦ୍ୱିତୀୟ ପର୍ଯ୍ୟାୟରେ ୬, ପୁଣି ୫ ଏବଂ ଚତୁର୍ଥ ପର୍ଯ୍ୟାୟରେ ୧ଟି ଆସନରେ ଟିକେଟ୍ ଘୋଷଣା କରିଥିଲା ।
ସେହିପରି ବିଜେପିରେ ମଧ୍ୟ ପାଖାପାଖି ସମାନ ଅବସ୍ଥା । ଦଳ ଲୋକସଭାରେ ସମସ୍ତ ୨୧ ଆସନ ଘୋଷଣା କରିଥିଲେ ହେଁ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବା କାଠିକର ପାଠ ହୋଇ ଯାଇଛି । ତେବେ ବିଜେଡି ତୁଳନାରେ ଦଳ ଟିକେଟ ଦେବାରେ ଭଲ ସ୍ଥିତିରେ ରହିଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ଏକା ଥରକେ ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଏହା ପରଠୁ ଟିକେଟ୍ ପାଇ ନ ଥିବା ଅନେକ ଆଶାୟୀ ନେତା ଦଳରେ ବିଦ୍ରୋହ କରିବା ସହ ପାର୍ଟି ଛାଡିଥିଲେ । ଯାହା ଦଳକୁ ଅଡୁଆରେ ମଧ୍ୟ ପକାଇଛି । ଅନେକ ଆସନରେ ପ୍ରାର୍ଥୀ ବଦଳାଇବା ପାଇଁ ମଧ୍ୟ ଆଶାୟୀ ନେତା ନିଜ ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶକ୍ତି ପ୍ରଦର୍ଶନ କରି ଚାପ ପକାଉଛନ୍ତି । ତେଣୁ ଦଳ ଅବଶିଷ୍ଟ ୩୫ଟି ଆସନରେ ପ୍ରାର୍ଥୀ ଘୋଷଣାରେ କୌଣସି ତ୍ରୁଟି ରଖିବାକୁ ଚାହୁଁନାହିଁ କି ତରତର ହେଉ ନାହିଁ । ତେବେ ପ୍ରଥମ ପ୍ରାର୍ଥୀ ତାଲିକା ପରେ ବିଜେପିକୁ ଅନେକ କ୍ଷତି ସହିବାକୁ ପଡିଛି । ଅନେକ ପୁରୁଖା ଦଳ ଛାଡି ବିଜେଡିରେ ମିଶିଛନ୍ତି । ତେଣୁ ଦଳ ବାକି ଆସନରେ ପ୍ରାର୍ଥୀ ଦେବାକୁ ସମୟ ନେଉଛି । ଏପ୍ରିଲ ୨୦ ତାରିଖର ଭିତରେ ପ୍ରାର୍ଥୀ ଘୋଷଣା ସରିବ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ।
ଆଉ କଂଗ୍ରେସର କଥା ନ କହିବା ଭଲ । ପ୍ରଥମେ ପ୍ରାର୍ଥୀ ଘୋଷଣା କରିବ ବୋଲି ଡିଣ୍ଡିମ ପିଟିଥିବା କଂଗ୍ରେସ ଏହି ମାମଲାରେ ବହୁ ପଛରେ ରହିଛି । ଦଳ ଏ ପର୍ଯ୍ୟନ୍ତ ୪୯ଟି ବିଧାନସଭା ଏବଂ ୮ଟି ଲୋକସଭା ସିଟରେ ପ୍ରାର୍ଥୀ ଦେଇଛି । ଦଳ ପାଇଁ ସବୁଠୁ ବଡ ସମସ୍ୟା ହେଉଛି ନିଜ ଦଳର ନେତା ବିଜେପି ଓ ବିଜେଡିରେ ଯାଇ ସାମିଲ ହେଉଛନ୍ତି । କଂଗ୍ରେସରୁ ନେତା ଛାଡୁଥିଲେ ମଧ୍ୟ କାଁ ଭାଁ ଯୋଗ ଦେଉଛନ୍ତି । ଦଳଡିଆଁ କାରଣରୁ ରାଜ୍ୟ କଂଗ୍ରେସ ପ୍ରାର୍ଥୀ ଦେବାରେ ମୁସ୍କିଲ ସ୍ଥିତିର ସମ୍ମୁଖୀନ ହେଉଛି । ଦଳକୁ ଏବେ ମଧ୍ୟ ଆହୁରି ୯୮ଟି ବିଧାନସଭା ଓ ୧୩ଟି ଲୋକସଭା ସିଟରେ ପ୍ରାର୍ଥୀ ଘୋଷଣା କରିବାର ଅଛି । ଆଗାମୀ ଦୁଇ ଦିନ ଭିତରେ କଂଗ୍ରେସ ଅବଶିଷ୍ଟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି ।