ଭୁବନେଶ୍ୱର: ଆଜି ଆସିପାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସନ୍ଧ୍ୟା ସୁଦ୍ଧା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ଜୁଏଲ ଓରାମ । ଦଳ ୧୧୨ଟି ଆସନରେ ପ୍ରାର୍ଥୀ ଦେଇ ସାରିଥିବା ବେଳେ ଅବଶିଷ୍ଟ ୩୫ଟି ଆସନ ପାଇଁ ବିଚାର ବିମର୍ଶ ଚାଲିଛି ।
ଦଳ ଲୋକସଭାରେ ସମସ୍ତ ୨୧ ଆସନ ଘୋଷଣା କରିଥିଲେ ହେଁ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବା କାଠିକର ପାଠ ହୋଇ ଯାଇଛି । ତେବେ ବିଜେଡି ତୁଳନାରେ ଦଳ ଟିକେଟ ଦେବାରେ ଭଲ ସ୍ଥିତିରେ ରହିଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ଏକା ଥରକେ ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଏହା ପରଠୁ ଟିକେଟ୍ ପାଇ ନ ଥିବା ଅନେକ ଆଶାୟୀ ନେତା ଦଳରେ ବିଦ୍ରୋହ କରିବା ସହ ପାର୍ଟି ଛାଡିଥିଲେ । ଯାହା ଦଳକୁ ଅଡୁଆରେ ମଧ୍ୟ ପକାଇଛି । ଅନେକ ଆସନରେ ପ୍ରାର୍ଥୀ ବଦଳାଇବା ପାଇଁ ମଧ୍ୟ ଆଶାୟୀ ନେତା ନିଜ ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶକ୍ତି ପ୍ରଦର୍ଶନ କରି ଚାପ ପକାଉଛନ୍ତି ।
ତେଣୁ ଦଳ ଅବଶିଷ୍ଟ ୩୫ଟି ଆସନରେ ପ୍ରାର୍ଥୀ ଘୋଷଣାରେ କୌଣସି ତ୍ରୁଟି ରଖିବାକୁ ଚାହୁଁନାହିଁ କି ତରତର ହେଉ ନାହିଁ । ତେଣୁ ଦଳ ବାକି ଆସନରେ ପ୍ରାର୍ଥୀ ଦେବାକୁ ସମୟ ନେଉଛି । ଏପ୍ରିଲ ୨୦ ତାରିଖର ଭିତରେ ପ୍ରାର୍ଥୀ ଘୋଷଣା ସରିବ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଥିଲେ । ତେବେ ଆଜି ସନ୍ଧ୍ୟା ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକ ଆସିପାରେ ବୋଲି ଜୁଏଲ ଓରାମ କହିଛନ୍ତି ।
ସେହିପରି ବିଜେଡି ମଧ୍ୟ ବହୁ ଭାବିଚିନ୍ତି ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରୁଛି । ପ୍ରଥମ ପର୍ଯ୍ୟାୟରେ ଦଳ ୭୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୨୭ଟି, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୯ଟି ପ୍ରାର୍ଥୀ ଘୋଷଣା କରିଛି । ସବୁ ମିଶାଇ ୧୪୭ରୁ ୧୧୭ଟି ଆସନରେ ବହୁ କଷ୍ଟରେ ପ୍ରାର୍ଥୀ ଦେଇ ପାରିଛି ଦଳ । ଏବେ ମଧ୍ୟ ଆହୁରି ୩୦ଟି ଆସନରେ ଟିକେଟ୍ ଘୋଷଣା ବାକି ରହିଛି । ଦଳରୁ ନେତା ଛାଡି ବିଜେପିରେ ମିଶିବା ମଧ୍ୟ ଦଳର ରଣନୀତି ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।