ବିଜେଡିକୁ ହାରିବାର ଭୟ ଘାରିଛି, ସେଥିପାଇଁ ଏବେ କଳାକାରଙ୍କୁ ଟଙ୍କା ଦେଇ ପ୍ରଚାର କରାଇବ: ବିଜେପି


ଭୁବନେଶ୍ୱର: ନିର୍ବାଚନ ପାଖେଇଲେ ଲୋଡା ପଡନ୍ତି କଳାକାର । କାରଣ ସେମାନଙ୍କୁ ନେଇ ପ୍ରଚାର କରାଇ ଭୋଟ୍ ହାତେଇବା ସଂପ୍ରତି ରାଜନୀତିରେ ଟ୍ରେଣ୍ଡ ପାଲଟିଛି । ଏଥିରୁ ଓଡିଶା ବା କେମିତି ବାଦ୍ ପଡିବ । ତେଣୁ ନିର୍ବାଚନ ଋତୁ ପାଖେଇଲେ ରାଜନୈତିକ ଦଳଗୁଡିକୁ ମନେ ପଡନ୍ତି କଳାକାର । ଏହି କ୍ରମରେ ଆଜି କଳାକାରଙ୍କୁ ନବୀନ ନିବାସରୁ ଡାକରା ହୋଇଛି । ଆଉ ଅନେକ ଅଭିନେତା ଓ ଅଭିନେତ୍ରୀ ନିବାସ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି । ଏହାକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି ।

କଳାକାରଙ୍କୁ ନବୀନ ନିବାସ ଡାକରା ନେଇ ବିଜେପିର କଟାକ୍ଷ । ବିଜେଡିକୁ ଟାର୍ଗେଟ୍ କରି ବିଜେପିର ପିଙ୍କି ପ୍ରଧାନ ଓ ହରିହର ମହାପାତ୍ର କହିଛନ୍ତି ବିଜେଡିକୁ ହାରିବାର ଭୟ ଘାରିଛି । ସେଥିପାଇଁ ଏବେ ଫିଲ୍ମ ଷ୍ଟାରଙ୍କୁ ଦଳର ଖୋଜା ପଡିଲା । ଆଗରୁ କେବଳ ନବୀନ ଷ୍ଟାର ପ୍ରଚାରକ କହୁଥିଲେ । ଏବେ କଣ ହେଲା ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟ ରାଜ୍ୟରେ କଳାକାରଙ୍କୁ ୪୫୦୦ ଟଙ୍କା ଭତା ମିଳୁଛି, ଏଠି ମାତ୍ର ୨ ହଜାର । ବିଜେଡି ଦଳୀୟ ଆଧାରରେ କଳାକାରଙ୍କୁ ଭାଗଭାଗ କରିବା ପାଇଁ ଚେଷ୍ଟା କରୁଛି । ଯଦି ଦରଦ ଅଛି ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ । କଳାକାରଙ୍କ ଅବସ୍ଥା ଏମିତି ଯେ, ବିଜେଡି ଟଙ୍କା ଦେଇ ପ୍ରଚାର କରାଉଛି ବୋଲି ବିଜେପି କହିଛି ।

ନବୀନ ନିବାସ ଯାଇଥିବା କଳାକାରଙ୍କ ମଧ୍ୟରେ ବାବୁସାନ ମହାନ୍ତି ମଧ୍ୟ ସାମିଲ । ନବୀନ ନିବାସରୁ ବାହାରିବା ପରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ସାରଙ୍କୁ ଭେଟି ବହୁତ ଖୁସି ଲାଗିଲା । ଯେଉଁଥି ପାଇଁ ଆମକୁ ଡକାଯାଇଥିଲା, ତାର ଖବର ଆପଣ ପରେ ଜାଣିବେ ବୋଲି ବାବୁସାନ କହିଛନ୍ତି । ଉଲ୍ଲେଖନୀୟ ଗତ କିଛି ଦିନ ତଳେ ବାବୁ ସାନ ବିଜେଡିକୁ ନୁହେଁ ବିଜେପିକୁ ଭୋଟ୍ ଦିଅନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ । କିନ୍ତୁ ଆଜି ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି ।