ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଇସ୍ତାହାରକୁ ଦଳ ‘ସଂକଳ୍ପ ପତ୍ର’ ନାଁ ଦେଇଛି । କେନ୍ଦ୍ରରେ ପୁଣି ଥରେ ସରକାର ଗଢିଲେ ପୂରା ଦେଶରେ ସମାନ ନାଗରିକ ସଂହିତା(ୟୁସିସି) ଲାଗୁ କରାଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି । ନିର୍ବାଚନୀ ଇସ୍ତାହାର ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପାର୍ଟିର ‘ସଂକଳ୍ପ ପତ’୍ର୍ର ବିକଶିତ ଭାରତର ୪ଟି ସ୍ତମ୍ଭ ଯୁବ, ମହିଳା, ଗରିବ ଓ କୃଷକଙ୍କୁ ସଶକ୍ତ କରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ୭୦ ବର୍ଷର ଆୟୁରୁ ଉର୍ଦ୍ଧ୍ୱ ପ୍ରତି ବୃଦ୍ଧ ଏବଂ ବୃଦ୍ଧାଙ୍କୁ ଆୟୁଷ୍ମାନ ଯୋଜନା ପରିଧିରେ ଅଣାଯିବ । ସେ ଧନୀ ଶ୍ରେଣୀର ହୁଅନ୍ତୁ କି ଗରିବ ସମସ୍ତଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ସଙ୍କଳ୍ପ ପତ୍ର ଜାରି କରାଯାଇଛି ।
ମଧ୍ୟମ ବର୍ଗଙ୍କ ପାଇଁ କଣ
ବିଜେପିର ସଂକଳ୍ପ ପତ୍ର ଅନୁଯାୟୀ, ମଧ୍ୟମ ବର୍ଗର ପରିବାର ପାଇଁ କମ ଅର୍ଥରେ ବାସଭବନ, ସୁଲଭ ସ୍ୱାସ୍ଥ୍ୟ ସୁବିଧା, ଉଚ୍ଚ ଶିକ୍ଷା ଓ ରୋଜଗାର ସହିତ ସ୍ୱରୋଜଗାରର ବ୍ୟବସ୍ଥା କରାଯିବ ।
-ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ
-୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ ।
-ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ
-ଆୟୁଷ୍ମାନ ଯୋଜନାରେ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ସାମିଲ କରାଯିବ
-ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ
-ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଯିବ
-ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ
– ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ ଟ୍ରେନ୍ ଚାଲିବ। ଖୁବଶୀଘ୍ର ସର୍ଭେ କାମ ଆରମ୍ଭ ହେବ
-ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍
-‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସଂକଳ୍ପ ପୂରଣ କରିବୁ
-୨୦୩୬ ମସିହାରେ ଅଲମ୍ପିକ ଆୟୋଜନ କରିବ ଦେଶ
-୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ଲକ୍ଷ୍ୟ
-ସର୍ଭାଇକାଲ କ୍ୟାନସର ଓ ବ୍ରେଷ୍ଟ କ୍ୟାନସର ପାଇଁ ଯୋଜନା ପ୍ରସ୍ତୁତ କରିବୁ
– କୃଷି ଢାଞ୍ଚାକୁ ବିକଶିତ କରିବୁ
-ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଯୋଜନା ଆଣିବୁ
-ସମଗ୍ର ବିଶ୍ୱରେ ଯୋଗର ପ୍ରଚାର, ପ୍ରସାର କରିବୁ
-ଦେଶର ବଞ୍ଚିତ ବର୍ଗକୁ ପ୍ରାଥମିକତା ଦେବୁ
-ଗରିବଙ୍କୁ ଲୁଟୁଥିବା ଲୋକ ଜେଲ୍ ଯାଉଛନ୍ତି
-ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ