ବାଲେଶ୍ୱର: ବିଜୁ ଜନତା ଦଳ ପରେ କଂଗ୍ରେସ ବାଲେଶ୍ୱର ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛି । ପୁରୁଖା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦଳ ମଇଦାନକୁ ଓହ୍ଲାଇଛି । ଯାହା ଫଳରେ ବାଲେଶ୍ୱର ଲୋକସଭା ସିଟରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ଏବେ ମଇଦାନରେ ବିଜେପିରୁ ପ୍ରତାପ ଷଡଙ୍ଗୀ, ବିଜେଡି ପକ୍ଷରୁ ଲେଖାଶ୍ରୀ ସାମନ୍ତ ସିଂହାର ଅଛନ୍ତି । କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ, କଂଗ୍ରେସ ଏଠାରୁ କାହାକୁ ପ୍ରାର୍ଥୀ କରିବ । ସେ ପର୍ଯ୍ୟନ୍ତ ପ୍ରତାପ ବନାମ ଲେଖାଶ୍ରୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ଆକଳନ କରାଯାଉଥିଲା । ତେବେ ଶ୍ରୀକାନ୍ତଙ୍କ ଆଗମନରେ ପୂରା ସମୀକରଣ ବଦଳି ଯାଇଛି । ବାଲେଶ୍ୱର ଲୋକସଭାର ଇତିହାସ କହୁଛି ଏଠାରେ ସର୍ବଦା ତ୍ରିମୁଖୀ ଲଢେଇ ହୋଇ ଆସିଛି ।
ଶ୍ରୀକାନ୍ତ ଜେନାଙ୍କ ପରି ବଳିଷ୍ଠ ଚେହେରା ଓ ଟାଣୁଆ ନେତାଙ୍କୁ କଂଗ୍ରେସ ପ୍ରାର୍ଥୀ କରି ବାଲେଶ୍ୱରରେ ମାଷ୍ଟର ଷ୍ଟ୍ରୋକ ଖେଳିଛି । ଗତକାଲି ପର୍ଯ୍ୟନ୍ତ ଦୌଡରେ ନ ଥିବା କଂଗ୍ରେସ ଆଜି ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାଲଟିଛି । ଦୁଇ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ବ୍ୟକ୍ତିତ୍ୱ ଫିକା ପଡିଗଲା ପରି ଲାଗୁଛି । ତାଙ୍କୁ କେବଳ ଦଳୀୟ ଭୋଟ୍ ହିଁ ଭରସା । ଅପରପକ୍ଷେ ଶ୍ରୀକାନ୍ତ ଜେନା ଓ ପ୍ରତାପ ଷଡଙ୍ଗୀଙ୍କ ନିଜସ୍ୱ ବ୍ୟକ୍ତିତ୍ୱ ରହିଛି । ଉଭୟ ଏହି ସଂସଦୀୟ କ୍ଷେତ୍ରରେ ଦୀର୍ଘ ସମୟ ଯୋଡି ହୋଇ ରହିଛନ୍ତି । ଉଭୟ ବିଧାନସଭା ସହ ଲୋକସଭାରୁ ପ୍ରତିନିଧିତ୍ୱ କରିବା ସହ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ଅନେକ ନିର୍ବାଚନ ଦେଖି ସାରିଥିବା ଏହି ଦୁଇ ନେତା ନିର୍ବାଚନ ବୈତରଣୀ କିଭଳି ପାରି ହୁଏ ବେଶ ଭଲ ଭାବେ ଜାଣିଛନ୍ତି । ଶ୍ରୀକାନ୍ତ ତିନି ଥର ବିଧାନସଭାକୁ ନିର୍ବାଚନ ହେବା ସହ ତିନି ଥର ଲୋକସଭା ଯାଇଛନ୍ତି । ପ୍ରତାପ ମଧ୍ୟ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ଲେଖାଶ୍ରୀଙ୍କୁ ଏ ପର୍ଯ୍ୟନ୍ତ କେବଳ ଜଣେ ମୁଖପାତ୍ର ଭୁମିକାରେ ସମସ୍ତେ ଦେଖିଛନ୍ତି । ପ୍ରତ୍ୟେକ୍ଷ ରାଜନୀତିରେ ତାଙ୍କର ସକ୍ରିୟତା ବହୁତ କମ ରହିଛି । ତେଣୁ ତିନି ପ୍ରାର୍ଥୀଙ୍କୁ ଦେଖିଲେ ଏଠାରେ ପ୍ରତାପ ବନାମ ଶ୍ରୀକାନ୍ତ ଲଢେଇ ହେବ ବୋଲି ଆକଳନ କରାଯାଉଛି ।
ବାଲେଶ୍ୱର ଲୋକସଭା ସିଟ୍ ଏମିତି ଏକ ସଂସଦୀୟ କ୍ଷେତ୍ର ଯେଉଁଠି ଜନତା ପ୍ରତି ୫ ଏବଂ ୧୦ ବର୍ଷରେ ପୁରୁଣା ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରି ଆସିଛନ୍ତି । ଏହି ସିଟରେ ସିପିଏମ, କଂଗ୍ରେସ, ଜନତା ଦଳ, ବିଜେପି ଏବଂ ବିଜେଡିର ନେତା ମାନେ ନିର୍ବାଚନ ଜିତିଛନ୍ତି । ଗତ ଦୁଇ ଦଶନ୍ଧିର ନିର୍ବାଚନ ଉପରେ ନଜର ପକାଇଲେ ୧୯୯୮, ୧୯୯୯ ଏବଂ ୨୦୦୪ ନିର୍ବାଚନରେ ବିଜେପି ନେତା ଐରଖାରବେଳ ସ୍ୱାଇଁ ଜିତିଥିଲେ । ୨୦୦୯ରେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ସଂସଦକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ପ୍ରଥମ ଥର ବିଜେଡି ଏହି ଆସନ ଦଖଲ କରିବାରେ ସକ୍ଷମ ହୋଇଥିଲା । ରବୀନ୍ଦ୍ର ଜେନା କଂଗ୍ରେସ ନେତା ଶ୍ରୀକାନ୍ତଙ୍କୁ ହରାଇ ସଂସଦକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ରେ ପୁଣି ଥରେ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରି ଏହି ଆସନକୁ ନିଜ ଅକ୍ତିକାରକୁ ଆଣିଥିଲା ।
ବାଲେଶ୍ୱର ଲୋକସଭା ଅଧିନରେ ଆସୁଥିବା ୭ ନିର୍ବାଚନ ମଣ୍ଡଳୀରୁ ୪ଟି ବିଜେଡି କଜବାରେ ଥିବା ବେଳେ ବିଜେପି ୨ଟିରେ ଜିତିଥିଲା । ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ମୟୂରଭଞ୍ଜର ଜିଲ୍ଲାର ବଡସାହି ଏବଂ ନୀଳଗିରି ବିଜେପି ହାତରେ ରହିଥିଲେ ହେଁ ନିକଟରେ ବିଧାୟକ ସୁକାନ୍ତ ନାୟକ ବିଜେଡିରେ ଯୋଗ ଦେଇଛନ୍ତି । ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲେଶ୍ୱର ସିଟ୍ ବିଜେଡି ହାତରେ ରହିଛି । ରେମୁଣାରେ ସ୍ୱାଧୀନ ପ୍ରାର୍ଥୀ ବିଧାୟକ ଅଛନ୍ତି । ବିଧାନସଭା ସମୀକରଣ ଦେଖିଲେ ଏଠାରେ ବିଜେଡିର ପଲ୍ଲା ଭାରି । କିନ୍ତୁ ଲୋକସଭା ନିର୍ବାଚନରେ ବିଜେଡି ଗତ ଥର ମାତ୍ ଖାଇଥିଲା । ଏଥର ଏହି ଲୋକସଭା ସିଟକୁ ଜିତିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଅଂଟା ଭିଡିଛନ୍ତି । ତେଣୁ ଏଠାରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି । ପୂର୍ବରୁ ବାଲେଶ୍ୱରବାସୀ ଶ୍ରୀକାନ୍ତ ଏବଂ ପ୍ରତାପଙ୍କୁ ଜିତାଇ ସାରିଛନ୍ତି । କଣ ଏଥର ଲେଖାଶ୍ରୀଙ୍କୁ ଭରସା କରିବେ ନା ପ୍ରତାପଙ୍କୁ ପୁଣି ଥରେ ଜିତାଇବେ । ନା ଶ୍ରୀକାନ୍ତଙ୍କୁ ଜିତାଇ ପରିବର୍ତ୍ତନ ଚାହୁଁଥିବାର ଆଭାସ ଦେବେ ।