୨୨ ଜଣଙ୍କ ପାଖରେ ରହିଛି ଦେଶର ୭୦ କୋଟି ଜନତାଙ୍କ ସଂପତି, ପିଏମ ମୋଦୀଙ୍କୁ ରାହୁଲଙ୍କ ଆକ୍ଷେପ


ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନ ତଳେ ମହାରାଷ୍ଟ୍ରରେ ବିଶାଳ ଜନସଭାକୁ ସମ୍ବୋଧିତ କରି ଗୌତମ ଆଦାନୀଙ୍କ ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ଭଣ୍ଡାରା ଓ ଗୋନ୍ଦିଆ ସଂସଦୀୟ କ୍ଷେତ୍ରରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି ଅଗ୍ନିବୀର ସେନାର ଯୋଜନା ନୁହେଁ ବରଂ ଏହା ମୋଦୀର ଯୋଜନା । କଂଗ୍ରେସ ଯଦି କ୍ଷମତାକୁ ଆସେ ତେବେ ଅଗ୍ନିବୀର ଯୋଜନାକୁ ତୁରନ୍ତ ବନ୍ଦ କରି ଦେବ । ପୂର୍ବର କଂଗ୍ରେସ ସରକାରଙ୍କ ଯୋଜନାର ଉଲ୍ଲେଖ କରି ରାହୁଲ କହିଛନ୍ତି, କଂଗ୍ରେସ ପାର୍ଟି ବ୍ୟାଙ୍କଗୁଡିକର ରାଷ୍ଟ୍ରୀୟକରଣ କରିଛି, ସବୁଜ ବିପ୍ଳବ ଆଣିବାର କାମ କରିଛି । ମାତ୍ର ମୋଦୀ ୨୪ ଘଂଟା କେବଳ ଧର୍ମର ରାଜନୀତି କରୁଛନ୍ତି ।

ସେ କହିଛନ୍ତି, ପିଏମ ମୋଦୀ ଗତ ୧୦ ବର୍ଷରେ କିଛି ବଛା ବଛା ଉଦ୍ୟୋଗପତିଙ୍କ ପାଇଁ ସରକାର ଚଳାଇଛନ୍ତି । ଯେବେ ମୋଦୀ ସରକାର ଆସିଲା ଆଦାନୀଙ୍କ ସେୟାର ମୂଲ୍ୟ ବଢିଗଲା । ମୋଦୀ ସରକାରରେ ସବୁ କିଛି ଆଦାନୀଙ୍କ ପାଇଁ କରାଯାଉଛି । ପୁରା ଦେଶ ଏହା ଜାଣିଛି ଯେ, ନରେନ୍ଦ୍ର ମୋଦୀଙ୍କ ସରକାର ହେଉଛି ଆଦାନୀଙ୍କ ସରକାର । ସିବିଆଇ, ଇଡି ଚାପରେ ମୁମ୍ବାଇ ବିମାନ ବନ୍ଦର ଆଦାନୀଙ୍କ ହାତରେ ଟେକି ଦିଆଗଲା । ଆଦାନୀ ଭାରତର ସବୁ ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇଗଲା । ଆଜି ଦେଶର ୨୨ ଜଣ ଲୋକଙ୍କ ହାତରେ ୭୦ ପ୍ରତିଶତ ଜନତାଙ୍କ ସଂପତି ରହିଛି । ରାହୁଲ କହିଛନ୍ତି ଅଗ୍ନିବୀର ଯୋଜନା ସେନା ଚାହୁଁନାହିଁ ।

ରାହୁଲ କହିଛନ୍ତି କଂଗ୍ରେସ ନିଜର ଘୋଷଣାପତ୍ରରେ ୫ ପ୍ରମୁଖ ଦାବି କରିଛି । ପାର୍ଟି ସବୁ ବୁଝି ବିଚାରି ଘୋଷଣା ପତ୍ର ପ୍ରସ୍ତୁତ କରିଛି । ଏହାକୁ ପ୍ରସ୍ତତ କରିବା ସମୟରେ ହଜାର ହଜାର ଲୋକଙ୍କ ସହ ବିଚାର ବିମର୍ଶ କରାଯାଇ ମତାମତ ନିଆଯାଇଛି । ସେ କଂଗ୍ରେସର ଘୋଷଣା ପତ୍ରକୁ ଜନତାର ଘୋଷଣା ପତ୍ରର ଆଖ୍ୟା ଦେଇଛନ୍ତି ।