ରାଉରକେଲା: ଭାରତୀୟ ଜନତା ପାର୍ଟି ଓଡିଶାର ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତାଲିକାରେ ସବୁଠୁ ବଡ ନାଁ ରହିଛି ଦିଲୀପ ରାୟଙ୍କର । ଦଳ ତାଙ୍କୁ ରାଉରକେଲାରୁ ପ୍ରାର୍ଥୀ କରିଛି । ଏହା ସହିତ ଦୀର୍ଘ ବର୍ଷ ପରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଏବେ ଇସ୍ପାତ ନଗରୀରେ ବିଜେଡି ନେତା ସାରଦା ପ୍ରସାଦ ନାୟକ ବନାମ ବିଜେପି ନେତା ଦିଲୀପ ରାୟଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି ।
ରାଉରକେଲା ଯିଏ ଷ୍ଟିଲ ସିଟି ବା ଇସ୍ପାତନଗରୀ ନାମରେ ପରିଚିତ । ଏଠାରୁ ବର୍ତମାନ ବିଧାୟକ ଅଛନ୍ତି ବିଜେଡି ନେତା ସାରଦା ପ୍ରସାଦ ନାୟକ । ଏହି ସିଟ୍ ବିଡେଡିର ଗଡ ଭାବେ ରହି ଆସିଛି । ୨୦୧୪ ନିର୍ବାଚନରେ ଦିଲୀପ ରାୟ ବିଜେଡି ପ୍ରାର୍ଥୀ ସାରଦାଙ୍କୁ ପରାସ୍ତ କରି ବିଜେଡିର ଏହି ଗଡକୁ ଛଡେଇ ନେଇଥିଲେ । ତେବେ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ସେ ୨୦୧୯ ନିର୍ବାଚନ ଲଢି ପାରି ନ ଥିଲେ । କିନ୍ତୁ ଦିଲ୍ଲୀ ହାଇକୋର୍ଟ ନିକଟରେ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାରୁ ଦିଲୀପଙ୍କ ନିର୍ବାଚନ ଲଢିବା ପଥ ପରିଷ୍କାର ହୋଇଥିଲା । ବିଜେପି ମଧ୍ୟ କାଳ ବିଳମ୍ବ ନ କରି ଦିଲୀପଙ୍କୁ ରାଉରକେଲାର ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରିଥିଲା ।
ଦିଲୀପ ରାୟ ୧୯୮୫ ଓ ୧୯୯୦ ନିର୍ବାଚନରେ ଜନତା ଦଳ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି କ୍ରମାଗତ ଦୁଇ ଥର ବିଧାନସଭାକୁ ନିର୍ବାଚନିତ ହୋଇଥିଲେ । ଏଥିସହ ବିଜୁ ପଟ୍ଟନାୟକ ସରକାରରେ ଶିଳ୍ପ ମନ୍ତ୍ରୀ ରହିଥିଲେ । ପୁଣି ୧୯୯୬ରୁ ୨୦୦୨ ଏବଂ ୨୦୦୨ରୁ ୨୦୦୮ ଯାଏଁ ରାଜ୍ୟସଭାର ସଦସ୍ୟ ରହିଥିଲେ । ସେ ସଂସଦୀୟ କମିଟିର ବିଭିନ୍ନ ପଦରେ ରହି କାର୍ଯ୍ୟ କରିଛନ୍ତି । ଏହା ପରେ ୨୦୧୪ରେ ସେ ରାଉରକେଲାରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।
ଅନ୍ୟପଟେ ବିଜେଡି ନେତା ସାରଦା ନାୟକ ରାଉରକେଲାରୁ ତିନି ଥର ନିର୍ବାଚନ ଜିତି ସାରିଛନ୍ତି । ସେ ୨୦୦୪, ୨୦୦୯ ଏବଂ ୨୦୧୯ରେ ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇଥିଲେ । ବର୍ତମାନ ସେ ଶ୍ରମ ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ଇସ୍ପାତ ନଗରୀରେ ସେ ଜଣେ ଟାଣୁଆ ନେତା । ତାଙ୍କର ସଂଗଠନ ବେଶ ସୁଦୃଢ ରହିଛି । ଏଠାରେ ବିଜେପିର ସ୍ଥିତି ଦୁର୍ବଳ ଲାଗୁଥିଲା । ହେଲେ ଦିଲୀପ ରାୟଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିବା ଏବଂ ତାଙ୍କ ଆଗମନ ସୁନ୍ଦରଗଡ ବିଜେପି ସହ ରାଜ୍ୟ ବିଜେପି ପାଇଁ ବଡ ଆଶ୍ୱସ୍ତି ଆଣିଛି । ତାଙ୍କର ନିର୍ବାଚନ ଲଢିବା ସୁନ୍ଦରଗଡ ଲୋକସଭାରେ ବିଜେପିକୁ ଫାଇଦା ଦେଇପାରେ ।
ରାଉରକେଲାର ରାଜନୀତି ଉପରେ ନଜର ପକାଇଲେ ଏଠାରେ ଜନତା ଦଳ ଏବଂ କଂଗ୍ରେସ ମଧ୍ୟରେ କଡା ଫାଇଟ୍ ହୋଇ ଆସିଛି । ତେବେ ୧୯୮୫ ପରଠୁ କଂଗ୍ରେସର ସ୍ଥିତି ଦୁର୍ବଳ ରହି ଆସିଛି । ତେବେ ୨୦୦୦ ମସିହା ପରଠୁ ଏହା ବିଜେଡି କବଜାରେ ରହି ଆସିଛି । ୨୦୧୪ରେ ଥରୁଟିଏ ବିଜେପି ଏଠାରେ ଜିତିବାରେ ସକ୍ଷମ ହୋଇଥିଲା । ୨୦୨୪ ନିର୍ବାଚନରେ ଦିଲୀପ ଏବଂ ସାରଦାଙ୍କ ମଧ୍ୟରେ ବିଗ୍ ଫାଇଟ୍ ହେବାକୁ ଯାଉଛି । ଉଭୟ ପୁରୁଖା ନେତା ହୋଇଥିବାରୁ ଏଠାରୁ କିଏ ଜିତିବ କାହା ସପକ୍ଷରେ ଅଧିକ ଜନାଧାର ରହିଛି କହିବା ବଡ ମୁସ୍କିଲ ।