ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବେ ନବୀନ ! ଏହି ସିଟରେ ଲଢିବା ପାଇଁ ବିଜେଡିରେ ଚାଲିଛି ଅଙ୍କକଷା


ଭୁବନେଶ୍ୱର: ୨୦୧୯ ପରି ୨୦୨୪ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରେ ନିର୍ବାଚନ ଲଢି ପାରନ୍ତି । ହିଞ୍ଜିଳି ସହ ପଶ୍ଚିମ ଓଡିଶାରୁ ଲଢି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବାକୁ ଅଳ୍ପ ଦିନ ଥିଲେ ହେଁ ଟିକେଟ୍ ଘୋଷଣାରେ ପଛରେ ଥିବା ବିଜେଡି କିଛି ଆସନରେ ପ୍ରାର୍ଥୀ ବଦଳାଇପାରେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଂଟାବାଞ୍ଜି ଆସନରୁ ଲଢିବା ନେଇ ବିଜେଡିରେ ଅଙ୍କକଷା ଚାଲିଛି ।

୨୦୧୯ ନିର୍ବାଚନରେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳି ସହ ବରଗଡର ବିଜେପୁର ସିଟରୁ ନିର୍ବାଚନ ଲଢିଥିଲେ । ତେବେ ଉଭୟ ସିଟରୁ ଜିତିବା ପରେ ବିଜେପୁର ଛାଡି ହିଞ୍ଜିଳିକୁ ନିଜ ପାଖରେ ରଖିଥିଲେ । ତେବେ ଗତ ନିର୍ବାଚନ ଅପେକ୍ଷା ଏଥର ବିଜେଡିକୁ ବିଜେପି ପକ୍ଷରୁ ବଡ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଛି । ପୂର୍ବ ଓଡିଶା ତୁଳନାରେ ପଶ୍ଚିମ ଓଡିଶାରେ ଦଳର ଜନାଧାର କମ ରହିଛି । ତେଣୁ ପଶ୍ଚିମ ଓଡିଶାରେ ଦଳର ସ୍ଥିତିକୁ ସୁଦୃଢ କରିବା ଏବଂ ଅଧିକ ସିଟ୍ ହାତେଇବା ପାଇଁ ନବୀନ ଏଥର ବଲାଙ୍ଗିର ଜିଲ୍ଲାର କଂଟାବାଞ୍ଜି ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସିଟ୍ ହେଉଛି କଂଗ୍ରେସର ଗଡ । ବର୍ତମାନ ଏଠାରେ ବିଧାୟକ ଅଛନ୍ତି କଂଗ୍ରେସର ସନ୍ତୋଷ ସିଂ ସାଲୁଜା । ୨୦୧୪ରେ ପ୍ରଥମ ଥର ବିଜେଡି ଏଠାରୁ ଜିତିବାରେ ସକ୍ଷମ ହୋଇଥିଲା । ତେଣୁ ନବୀନଙ୍କୁ ଲଢାଇ ପଶ୍ଚିମ ଓଡିଶାରେ ଭୋଟ୍ ସାଉଁଟିବା ପାଇଁ ବିଜେଡି ଯୋଜନା କରୁଛି ।

ତେବେ କଂଟାବାଞ୍ଜି ନବୀନଙ୍କ ପାଇଁ କେତେ ସୁରକ୍ଷିତ ରହିବ ତାହା ସମୟ କହିବ । କିନ୍ତୁ ଏଠାରେ ସନ୍ତୋଷ ସିଂ ସାଲୁଜାଙ୍କ ଲୋକପ୍ରିୟତା ରହିବା ସହ କଂଗ୍ରେସର ସଂଗଠନ ବେଶ ମଜବୁତ ରହିଛି । ୧୯୭୭ ପରଠୁ ଏହା କଂଗ୍ରେସର ଗଡ ଭାବେ ରହି ଆସିଛି । କେବଳ ୧୯୯୦, ୨୦୦୪ ଓ ୨୦୧୪ ଏହି ତିନି ନିର୍ବାଚନକୁ ବାଦ ବାକି ସବୁ ନିର୍ବାଚନରେ ଏହି ସିଟରେ କଂଗ୍ରେସ ପ୍ରାର୍ଥୀ ଜିତି ଆସିଛନ୍ତି । ତେଣୁ ନବୀନଙ୍କୁ ଏଠାରୁ ନିର୍ବାଚନ ଲଢାଇବା ନେଇ ବିଜେଡି ଶିବିରରେ ବହୁ ଅଙ୍କକଷା ଚାଲିଛି.

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ଓଡିଶା ରାଜନୀତିରେ ପ୍ରବେଶ କରିବା ପରଠୁ ବାପା ବିଜୁ ପଟ୍ଟନାୟକଙ୍କ ସିଟ୍ ହିଞ୍ଜିଳିରୁ ନିର୍ବାଚନ ଲଢି କ୍ରମାଗତ ଜିତି ଆସୁଛନ୍ତି । ଏଥର ନିର୍ବାଚନ ଜିତି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଅଂଟା ଭିଡିଛନ୍ତି ନବୀନ । କିନ୍ତୁ ଦଳର ରାଜନୈତିକ ପରିଦୃଶ୍ୟରେ ପରିବର୍ତନ ଆସିଛି । ପୂର୍ବାପେକ୍ଷା ବିରୋଧୀ ବିଜେପି ଏଥର ବିଜେଡି ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ।