ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପଂଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିଛି । ନଅ ଜଣିଆ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ରହିଛି । ନବୀନ କଂଟାବାଞ୍ଜିରୁ ନିର୍ବାଚନ ଲଢୁଥିବା ବେଳେ ସମ୍ବଲପୁର ଓ ରେଢାଖୋଲରେ ସିଟ୍ ଅଦଳ ବଦଳ ହୋଇଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରେଢାଖୋଲରେ ପ୍ରାର୍ଥୀ କରାଯାଇଥିବା ବେଳେ ରୋହିତ ପୂଜାରୀଙ୍କୁ ସମ୍ବଲପୁରୁ ପ୍ରାର୍ଥୀ କରାଯାଇଛି । ଆଜିକୁ ମିଶାଇ ବିଜେଡି ୧୨୬ଟି ଆସନରେ ପ୍ରାର୍ଥୀ ଦେଇଛି । ଆହୁରି ୨୧ ସିଟ୍ ବାକି ରହିଥିବାରୁ ଆଶାୟୀଙ୍କ ହୃଦକମ୍ପନ ଆରମ୍ଭ ହୋଇ ଯାଇଛି।
ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ମେ ୧୩ ତାରିଖ ରହିଛି । ବିଜ୍ଞପ୍ତି ଜାରି ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି । ତଥାପି ଟିକେଟ୍ ବଂଟା ସରିନି । ୫ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା ପରେ ବି ବିଜେଡି ୧୨୬ଟି ଆସନରେ ଟିକେଟ୍ ଦେଇ ପାରିଛି । ୨୦୦୦ ମସିହା ପରଠୁ କ୍ରମାଗତ ୫ ଥର ନିର୍ବାଚନ ଜିତି ସରକାର ଗଢିଥିବା ବିଜେଡି କେବେ ଏମିତି ସ୍ଥିତିର ସମ୍ମୁଖୀନ ହୋଇନି । ବିଗତ ନିର୍ବାଚନର ପ୍ରାର୍ଥୀ ତାଲିକା ଘୋଷଣା ଉପରେ ନଜର ପକାଇଲେ ବିଜେଡି ଅତି ସହଜରେ ଟିକେଟ୍ ଘୋଷଣା କରି ପାରୁଥିଲା । ଦୁଇରୁ ତିନି ପର୍ଯ୍ୟାୟରେ ଟିକେଟ୍ ବଂଟା ସରି ଯାଉଥିଲା । କିନ୍ତୁ ଏଥର ଭିନ୍ନ ପରିସ୍ଥିତି ।
ପ୍ରାର୍ଥୀ ତାଲିକା ଘୋଷଣା ସରୁ ନ ଥିବାରୁ ନେତା ମାନେ ଠିକରେ ନିର୍ବାଚନ ପ୍ରଚାର ମଧ୍ୟ କରି ପାରୁ ନାହାନ୍ତି । ଏମିତି ଲାଗୁଛି ପ୍ରାର୍ଥୀମାନେ ନିଜସ୍ୱ ବ୍ୟକ୍ତିତ୍ୱ ନୁହେଁ ଦଳୀୟ ଚିହ୍ନରେ ନିର୍ବାଚନ ଜିତୁଛନ୍ତି । ଓଡିଶା ରାଜନୀତିରେ ଏହା ପ୍ରତୀତମାନ ହୋଇ ଆସିଛି । ବିଜେଡି ଯାହାକୁ ପ୍ରାର୍ଥୀ କରାଏ ସେଠାରେ ଜନତା ପ୍ରାର୍ଥୀ ନୁହନ୍ତି ବାସ୍ ଦଳକୁ ଦେଖି ଭୋଟ୍ ଦିଅନ୍ତି । ବିଜେଡି ଭାବୁଛି ଏଥର ବୋଧହୁଏ ସେମିତି ହେବ, ଜନତା ପ୍ରାର୍ଥୀ ନୁହନ୍ତି ଶଙ୍ଖ ଏବଂ ନବୀନଙ୍କୁ ଦେଖି ଭୋଟ୍ ଦେବେ । ନିକଟରେ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ବିଜେଡିର ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଆପଣମାନେ ନେତା କି ପ୍ରାର୍ଥୀ ଦେଖନ୍ତୁ ନାହିଁ ଶଙ୍ଖ ଏବଂ ନବୀନଙ୍କୁ ଦେଖି ଭୋଟ୍ ଦିଅନ୍ତୁ । ସେଥିପାଇଁ ବୋଧହୁଏ ଟିକେଟ୍ ଦେବାରେ ବିଳମ୍ବ ହେବାରେ ଦଳକୁ କୌଣସି ଫରକ ପଡୁନି ।
ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଯଦି ପ୍ରାର୍ଥୀ ଘୋଷଣାରେ ଏତେ ବିଳମ୍ବ ହେବ ତେବେ ନେତା କେବେ ବ୍ୟାନର ପୋଷ୍ଟର ତିଆରି କରିବେ ଏବଂ କେବେ ମଇଦାନକୁ ଓହ୍ଲାଇବେ । ସେମିତିରେ ସେମାନଙ୍କୁ ଟିକେଟ୍ ମିଳିବ କି ନାହିଁ ମଧ୍ୟ ସେମାନେ ଶଙ୍କାରେ ରହିଛନ୍ତି । ଉଲ୍ଲେଖନୀୟ ବିଜେଡି ପ୍ରଥମ ପର୍ଯ୍ୟାୟରେ ଦଳ ୭୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୨୭ଟି, ତୃତୀୟରେ ୯, ଚତୁର୍ଥ ପର୍ଯ୍ୟାୟରେ ୯ଟି ଏବଂ ପୁଣି ପଂଚମ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀ ଘୋଷଣା କରିଛି । ପାର୍ଟି ବୋଧହୁଏ ଏହି ସନ୍ଦେଶ ଦେବାକୁ ଚାହୁଁଛି ଯେ, ବିଳମ୍ବରେ ହେଉ ପଛେ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିବ । ସେଥିପାଇଁ ଚିନ୍ତା କରିବାର ଳୌଣସି କାରଣ ନାହିଁ । କାରଣ ନେତା ପ୍ରାର୍ଥୀଙ୍କୁ ନୁହେଁ ଦଳକୁ ଦେଖି ଭୋଟ୍ ଦେବେ । ଆଉ ପ୍ରାର୍ଥୀମାନେ ଟିକେଟ୍ ପାଇବା ଲୋଭରେ ମୁହଁ ଖୋଲି ପାରୁ ନାହାନ୍ତି ।