ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, କାଲିଠୁ ୩ ଦିନ ସ୍କୁଲ ଛୁଟି


ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରି ଜାରି ରହିଛି । ଭୀଷଣ ତାତିରେ ଛଟପଟ ହେଉଛନ୍ତି ଲୋକେ । ସକାଳ ୧୦ଟା ହେଲେ ପଦାକୁ ଗୋଡ କାଢିବା ମୁସ୍କିଲ ହୋଇ ପଡୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟକୁ ୩ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲଗୁଡିକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ପାଣିପାଗ ବିଭାଗ ମଧ୍ୟ ଭୀଷଣ ତାତିକୁ ନେଇ ସତର୍କ ସୂଚନା ଜାରି କରି ସାରିଛି ।

ଆକଳନ ଅନୁଯାୟୀ, ଆସନ୍ତା ୨୦ ତାରିଖ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ । ପାରଦ ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ବଢିପାରେ । ତେଣୁ କାଲିଠୁ ୩ ଦିନ ଯାଏ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ, ନୟାଗଡ, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ ଓ ମାଲକାନଗିରିରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ୨୧ ଓ ୨୨ ତାରିଖ ଆଡକୁ ପାଗରେ ପରିବର୍ତ୍ତନ ଘଟିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଆଜି ଦିନ ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲାଣି ତାପମାତ୍ରା । ବାଲେଶ୍ୱରରେ ପାରଦ ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ୩୯.୯, ଚାନ୍ଦବାଲିରେ ୩୯.୪, ଝାରସୁଗୁଡାରେ ୩୮.୮, ସମ୍ବଲପୁରରେ ୩୮.୩, ହୀରାକୁଦରେ ୩୮.୨, କେନ୍ଦୁଝରରେ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।