ଏନଏଚ ୪୯ ରେ ପାଉଁଶ ଗୁଣ୍ଡ ଉଡ଼ି ପଥଚାରୀ ଅତିଷ୍ଠ


ଝାରସୁଗୁଡା ୧୭/୪ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା କନକତୋରା ୪୯ ନମ୍ବର ଜାତୀୟ ରାଜପଥରେ ଭାରିଯାନ ଗୁଡିକ ମାଲ ପରିବହନ ସମୟ ରେ ଖୋଲାଖୋଲି ଭାବେ ସରକାରୀ ନିୟମ କୁ ଉଲଂଘନ କରୁଛନ୍ତି । ଯାହା ଫଳରେ ଉକ୍ତ ରାଜପଥରେ ଯାତାୟାତ ସମୟ ରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଆଜି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏନଏଚ ୪୯ ପାର୍ଶ୍ଵରେ ଥିବା କତରବଗା ହାଇସ୍କୁଲ ସମ୍ମୁଖରେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲା ସ୍ଥିତ କୌଣସି ଏକ ଶିଳ୍ପସଂସ୍ଥାର ନିର୍ଗତ ପାଉଁଶକୁ ଭାରିଯାନ ଦ୍ୱାରା ଝାରସୁଗୁଡା ପଟକୁ କିଛିଦିନ ହେବ ପରିବହନ କରା ଯାଉଛି । ମାତ୍ର ଭାରିଯାନ ଗୁଡ଼ିକ ପାଉଁଶ ଡମ୍ପିଂ କରି ଫେରିବା ବେଳେ ବହୁତ ଦୃତ ଗତିରେ ଆସୁଛନ୍ତି । ଯାହା ଫଳରେ ଉକ୍ତ ଗାଡ଼ିର ଡାଲାରେ ଥିବା ଅବଶିଷ୍ଟ ପାଉଁଶ ଗୁଣ୍ଡ ପବନରେ ଉଡି ରାଜପଥକୁ ସମ୍ପୂର୍ଣ୍ଣ ଧୁଆଁମୟ ପରିବେଶ ସୃଷ୍ଟି ହେଉଥିବା ସହିତ ଉତ୍ତାପ ବୃଦ୍ଧି ପାଇବାର ଏହା ଏକ ମାଧ୍ୟମ ପାଲଟିଛି । ଏଥିସହ ରାଜପଥରେ ଯାତାୟାତ ବେଳେ ସାଧାରଣ ଜନତା ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଯଦି ପ୍ରଶାସନିକ ସ୍ତରରେ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ । ତାହେଲେ ଅଞ୍ଚଳବାସୀ ରାଜରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।