ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, କେଉଁଠି କେଉଁ ସମୟରେ ଭୋଟ; ଜାଣନ୍ତୁ


ଭୁୁବନେଶ୍ୱର: ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ ଲୋକସଭା ସିଟ୍ ଏବଂ ତା ଅଧିନରେ ଥିବା ୨୮ ବିଧାନସଭାରେ ମତଦାନ ହେବ ।

ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବେ। ଏପ୍ରିଲ ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ଏପ୍ରିଲ ୨୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ମେ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ୍। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ ହେବ। କେଉଁଠି କେଉଁ ସମୟରେ ଭୋଟ ଗ୍ରହଣ ହେବ ସେନେଇ ମଧ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି ।

କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଥିବା ନୂଆପଡ଼ା, ଖଡ଼ିଆଳ, ଲାଂଜିଗଡ଼ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ । ସେହିପରି ନବରଙ୍ଗପୁର ଲୋକସଭା କ୍ଷେତ୍ରର ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ବିଧାନସଭା ଆସନରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ ହେବ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଭୋଟ ଗ୍ରହଣ ହେବ ।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡିରେ ସକାଳ ୭ଟାରୁ ସଂଧ୍ୟା ୬ଟା ଓ କେବଳ ମୋହନାରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣ ହେବ । କୋରାପୁଟ ସଂସଦୀୟ କ୍ଷେତ୍ରର ଗୁଣୁପୁର, ବିଷମକଟକ, ରାୟଗଡ଼ା ଓ କୋରାପୁଟ ବିଧାନସଭା କ୍ଷେତ୍ରରେ ସକାଶ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ ହେବ ।

ସେହିପରି ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ଓ ଜୟପୁର ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ଭୋଟ ଗ୍ରହଣ ହେବ । ସୂଚନାଯୋଗ୍ୟ, ଓଡିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ମେ ୧୩, ଦ୍ୱିତୀୟ ମେ ୨୦, ତୃତୀୟ ମେ ୨୫ ଏବଂ ଚତୁର୍ଥ ଜୁନ ୧ରେ ଭୋଟ୍ ଗ୍ରହଣ ହେବ ।