ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ


ଭୁୁବନେଶ୍ୱର: ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଗୁରୁବାର ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଆୟୋଜିତ ମିଶ୍ରଣ ପର୍ବରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସାଂସଦ ସସ୍ମିତ ପାତ୍ର ଉତରୀୟ ଦେଇ ସ୍ୱାଗତ କରିଛନ୍ତି । ୨୦୧୯ରେ ବର୍ଷା ବିଜେଡିର ଷ୍ଟାର ପ୍ରଚାରକ ଭାବେ ପ୍ରଚାର କରିଥିଲେ । ବିଜେଡିରେ ମିଶିବା ପରେ ତାଙ୍କୁ ଟିକେଟ୍ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ଅନୁଭବ ମହାନ୍ତି ବିଜେପିରେ ମିଶିବା ପରେ ବର୍ଷା ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଗତ ୨୦୧୯ ନିର୍ବାଚନରେ ବର୍ଷା କେନ୍ଦ୍ରାପଡାରେ ଅନୁଭବ ଏବଂ ବିଜେଡି ପାଇଁ ପ୍ରଚାର କରୁଥିଲେ । କିନ୍ତୁ ୨୦୨୪ରେ ରାଜନୀତି ସମୀକରଣ ସଂପୂର୍ଣ୍ଣ ବଦଳି ସାରିଛି । ଆଉ ଆଜି ଶଙ୍ଖ ଫୁଙ୍କିଛନ୍ତି ବର୍ଷା । ଗତ କିଛି ବର୍ଷ ହେଲା ପାରିବାରିକ ବିବାଦ ଯୋଗୁଁ ଚର୍ଚ୍ଚାରେ ଥିଲେ ବର୍ଷା । ସାଂସଦ ଅନୁଭବ ମହାନ୍ତିଙ୍କ ସହ ଛାଡପତ୍ର ବିବାଦ ହାଇକୋର୍ଟରେ ପହଂଚିଥିଲା । ଲମ୍ବା ଆଇନଗତ ପ୍ରକ୍ରିୟା ପରେ ଶେଷରେ ଉଭୟଙ୍କ ଛାଡପତ୍ରକୁ କୋର୍ଟ ଗ୍ରହଣ କରିଛନ୍ତି ଏବଂ ଉଭୟଙ୍କ ସଂପର୍କରେ ପୂର୍ଣ୍ଣଛେଦ ପଡିଥିଲା ।

୧୯୮୪ ମସିହା ଅଗଷ୍ଟ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ବର୍ଷା ଜଣେ ଶିଶୁ କଳାକାର ଭାବେ ଓଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ନିଜର ନିଖୁଣ ଅଭିନୟ ପାଇଁ ଆଗଧାଡିର ନାୟିକା ଭାବେ ବେଶ ପରିଚିତ ହୋଇଥିଲେ । ଅଭିନେତା ଅନୁଭବଙ୍କ ସହ ଅନେକ ସୁପର ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି ବର୍ଷା । ପରେ ଅନୁଭବଙ୍କ ସହ ତାଙ୍କର ବିବାହ ହୋଇଥିଲା । ହେଲେ ପାରିବାରିକ ସଂପର୍କ ଭଲରେ ଚାଲି ନ ଥିଲା । ବର୍ତମାନ ଉଭୟ ଅଲଗା ।