ଭୁୁବନେଶ୍ୱର: ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇ ସାରିଛି । ତଥାପି ନେତାଙ୍କ ଦଳ ଡିଆଁ ପର୍ବରେ ବ୍ରେକ ଲାଗୁନି । ଏବେ ବି ଅନେକ ନେତା ଅଛନ୍ତି ଯେଉଁମାନେ ନିଜ ଦଳ ଛାଡିବାକୁ ମନସ୍ଥ କଲେଣି । ଏହି କ୍ରମରେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ନାଁ ସାମ୍ନାକୁ ଆସିଛି । ତାଙ୍କର ବିଜେଡି ଛାଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ରାଜ୍ୟସଭା ପଠା ନ ଯିବା କି ଟିକେଟ୍ ବି ନ ମିଳିବାରୁ ସେ ଅସନ୍ତୁଷ୍ଟ ଥିବା ଜଣା ପଡିଛି । ଏପରିକି ପାଟ୍ଟଶାଣୀଙ୍କ ବିଜେପିରେ ମିଶିବା ନେଇ ମଧ୍ୟ ଆକଳନ କରାଯାଉଛି । ଏହି ଚର୍ଚ୍ଚାକୁ ନେଇ ପାଟ୍ଟଶାଣୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏହି ଖବର ନିଶ୍ଚିତ ଭାବେ ବିଜେଡିକୁ ଝଟକା ଦେବ ।
ପ୍ରସନ୍ନ ପାଟ୍ଟଶାଣୀ ବିଜେଡିର ଜଣେ ଅନୁଭବୀ ଟାଣୁଆ ନେତା । ଭୁୁବନେଶ୍ୱର ଲୋକସଭା ଆସନରୁ ସେ କ୍ରମାଗତ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ନିର୍ବାଚନ ଜିତି ସଂସଦର ନିମ୍ନ ସଦନର ସଦସ୍ୟ ହୋଇଥିଲେ । ଆଉ ଭୁୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେଡିର ଗଡ ପାଲଟି ଯାଇଥିଲା । ତେବେ ୨୦୧୯ରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡି ଆଉ ପ୍ରାର୍ଥୀ କରି ନ ଥିଲା । ତେବେ ବିଜେଡି ସହ ତାଙ୍କ ଦୂରତା ସେହି ବର୍ଷରୁ ହିଁ ବଢିଥିଲା । ତାଙ୍କ ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ର ୨୦୧୪ରେ ବିଜେଡି ଟିକେଟରେ ଭୁୁବନେଶ୍ୱର ଉତରରୁ ଜିତିଥିଲେ । ତେବେ ଶ୍ୱଶ୍ୱରଙ୍କ ପରି ପ୍ରିୟଦର୍ଶୀଙ୍କୁ ମଧ୍ୟ ବିଜେଡି ଟିକେଟ୍ ଦେଇ ନ ଥିଲା ।
ଦଳ ୨୦୨୪ରେ ଟିକେଟ୍ ଦେବ ବୋଲି ଉଭୟ ଆଶା କରିଥିଲେ । କିନ୍ତୁ ଏଥର ବି ପ୍ରିୟଦର୍ଶୀଙ୍କୁ ଟିକେଟ୍ ଦେଇ ନ ଥିଲା ଦଳ । ଶେଷରେ ସେ ବିଜେପିରେ ଯୋଗ ଦେଇ ଭୁୁବନେଶ୍ୱର ଉତରରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଅନ୍ୟପଟେ ପ୍ରସନ୍ନ ପାଟ୍ଟଶାଣୀ ଆଶା ରଖିଥିଲେ ଅନ୍ତତଃ ଦଳ ତାଙ୍କୁ ରାଜ୍ୟସଭା ପଠାଇବ । ନଚେତ୍ ବିଧାନସଭା ଲଢିବା ପାଇଁ ପ୍ରାର୍ଥୀ କରିବ । କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡିଛି । ତେଣୁ ସେ ଆଉ ବିଜେଡିରେ ରହିବାକୁ ଉଚିତ୍ ମଣୁ ନ ଥିବା କୁହାଯାଉଛି । ସେ ଶୀଘ୍ର ବିଜେଡି ଛାଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଜ୍ୱାଇଁ ପ୍ରିୟଦର୍ଶୀ ମିଶ୍ରଙ୍କ ପରି ବିଜେପିରେ ପ୍ରସନ୍ନଙ୍କ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି ।