ଭୁୁବନେଶ୍ୱର: ରାଜ୍ୟର ୨୧ ଲୋକସଭା ମଧ୍ୟରୁ ସବୁଠୁ ରୋଚକ ମୁକାବିଲା ହେବାକୁ ଯାଉଛି ସମ୍ବଲପୁରରେ । ଏଠାରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ଦୁଇ ନେତା ପ୍ରଚାର ଜୋରସୋରରେ ଚଲାଇଛନ୍ତି । ଏହି ସମୟରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ସମ୍ବଲପୁରରୁ ବର୍ତମାନ ସାଂସଦ ଥିବା ବିଜେପି ନେତା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କ ପୁଅ ନମନ ଗଙ୍ଗଦେବ ମଧ୍ୟ ମଙ୍ଗଳବାର ବିଜେଡିରେ ସାମିଲ ହୋଇଛନ୍ତି । ଅରୁନ୍ଧତୀଙ୍କ ଶାସକ ଦଳରେ ଯୋଗ ଦେବା ସମ୍ବଲପୁର ସହ ଦେବଗଡରେ ବିଜେପିକୁ ଅଡୁଆରେ ପକାଇପାରେ । ଅରୁନ୍ଧତୀଙ୍କୁ ବିଜେଡି ଦେବଗଡ ସିଟରୁ ପ୍ରାର୍ଥୀ ମଧ୍ୟ କରିଛି ।
ଦେବଗଡ଼ରୁ ଦୁଇ ଦୁଇ ଥର ବିଧାୟକ ରହି ସାରିଥିବା ନୀତେଶଙ୍କ ସମ୍ବଲପୁର ଏବଂ ଦେବଗଡ଼ରେ ସଂଗଠନ ସୁଦୃଢ଼ ଥିଲା । ଏଣୁ ତାଙ୍କୁ ବିଜେପି ଟିକେଟ ଦେବ ବୋଲି ଆଶା କରାଯାଉଥିଲା । ମାତ୍ର ଦଳ ତାଙ୍କୁ ଏକପ୍ରକାର କୋଣଠେସା ହୋଇ ରହୁଥିଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ନୀତେଶଙ୍କ ପତ୍ନୀ ତଥା ଦେବଗଡ଼ର ରାଣୀ ଅରୁନ୍ଧତୀ ଦେବୀ ମଙ୍ଗଳବାର ନବୀନ ନିବାସରେ ବିଜେଡିରେ ସାମିଲ ହେବା ବିଜେପିର ଅନ୍ଦର ମହଲ ପାଇଁ ବେଶ ଚିନ୍ତାର କାରଣ ପାଲଟିଛି । ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ବିଜେପିର ଅଙ୍କକୁ ବିଗାଡ଼ି ଦେଇଛନ୍ତି ଅରୁନ୍ଧତୀ ଦେବୀ । କାରଣ ସ୍ୱାମୀ ନୀତେଶ ଗଙ୍ଗଦେବଙ୍କ ପରି ଅରୁନ୍ଧତୀଙ୍କ ମଧ୍ୟ ଦେବଗଡ ଓ ସମ୍ବଲପୁରରେ ନିଜସ୍ୱ ପରିଚୟ ରହିବା ସହ ସଂଗଠନ ରହିଛି ।
ଅରୁନ୍ଧତୀ ପୂର୍ବରୁ ମଧ୍ୟ ବିଜେପିକୁ ସମାଲୋଚନା କରିବାରେ କୌଣସି ସୁଯୋଗ ହାତଛଡା କରୁ ନ ଥିଲେ । ଏବେ ଅରୁନ୍ଧତୀ ଦେବଗଡର ବିଜେଡି ବିଧାୟିକା ପ୍ରାର୍ଥୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କୁ କଡା ଟକ୍କର ଦେବାକୁ ଯାଉଛନ୍ତି । ଉଲ୍ଲେଖନୀୟ ଲୋକ ସମର୍ଥନ ତାଙ୍କ ପରିବାର ପ୍ରତି ରହିଥିବାବେଳେ ବିଜେପି କିନ୍ତୁ ଏହାକୁ ଗୁରୁତ୍ବ ଦେଇନଥିଲା । ଯାହାକି ଏବେ ବିଜେପି ପାଇଁ ବୁମେରାଂ ହେବ । ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଛି । ନିଜର ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛନ୍ତି ଅରୁନ୍ଧତୀ । ଆଉ ଏବେ ବିଜେଡିରେ ଅରୁନ୍ଧତୀ ସାମିଲ ହେବା ପରେ ଧର୍ମେନ୍ଦ୍ରଙ୍କ ବିରୋଧରେ କରିବେ ପ୍ରଚାର । ଯାହାକି ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କୁ ମହଙ୍ଗା ସାବ୍ୟସ୍ତ ହେବ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ନୀତେଶଙ୍କ ସହ ଅରୁନ୍ଧତୀଙ୍କ ଲୋକସମ୍ପର୍କ ରହିଥିବାବେଳେ ଏହା ବିଜେଡି ପାଇଁ ପ୍ଲସ ପଏଣ୍ଟ ହେବ । ସମ୍ବଲପୁରରୁ ବିଜେଡି ପ୍ରାର୍ଥୀ ହୋଇଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସପକ୍ଷରେ ପ୍ରଚାର କରିବେ ଅରୁନ୍ଧତୀ ।