ଭୁୁବନେଶ୍ୱର: ଓଡିଶାରେ ଲୋକସଭା ଓ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି ହୋଇ ସାରିଛି । ତେବେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଟିକେଟ୍ ଘୋଷଣା ଏ ଯାଏ ସରିନି । ଗତ ଦୁଇ ଦଶନ୍ଧିର ରାଜନୀତି ଦେଖିଲେ ପ୍ରଥମ ଥର ଓଡିଶାରେ ତିନି ଦଳକୁ ପ୍ରାର୍ଥୀ ଘୋଷଣା କରିବାରେ ନାକେଦମ ହେବାକୁ ପଡିଛି । ଏହାର ପ୍ରମୁଖ କାରଣ ଦଳ ଡିଆ ପର୍ବ । ନେତା ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଥିବାରୁ ତିନି ଦଳର ସମୀକରଣ ବିଗିଡି ଯାଇଛି । ଦେଶରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସରିବା ପରେ ମଧ୍ୟ ଓଡିଶାରେ ପ୍ରାର୍ଥୀ ଘୋଷଣା ସରିନି ।
ବିଜେଡି ଦଳ ଉପରେ ନଜର ପକାଇଲେ ଏଥର ନିର୍ବାଚନେ ଦଳ ଏତେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ ବୋଲି କେବେ ଭାବି ନ ଥିବ । ପ୍ରତି ଥର ସହଜରେ ନିର୍ବାଚନୀ ବୈତରଣୀ ପାରି ହୋଇ ଯାଉଥିବା ବିଜେଡିକୁ ଏଥର କଡା ଟକ୍କର ମିଳୁଛି । ତେବେ ଦଳ ପାଇଁ ସବୁଠୁ ବଡ ଚିନ୍ତା ଦେଇଛି ପ୍ରାର୍ଥୀ ଘୋଷଣା । କାରଣ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ଏବଂ ଅନେକ ଆଶାୟୀ ରହିବାରୁ ଦଳରେ ବିଦ୍ରୋହ ସୃଷ୍ଟି ହେଉଛି, ଯାହା ଦଳର ସାଂଗଠନିକ ସ୍ଥିତିକୁ ଦୋହଲାଇ ଦେଉଛି । ତେଣୁ ଦଳ ଟିକେଟ୍ ବଂଟନରେ ତରବରିଆ ନ ହୋଇ ପର୍ଯ୍ୟାୟକ୍ରମେ ଦେଖି ଚାହିଁ ପ୍ରାର୍ଥୀ ତାଲିକା ଘୋଷଣା କରୁଛି । ପ୍ରଥମ ପର୍ୟ୍ୟାୟରେ ଦଳ ୭୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୨୭ଟି, ତୃତୀୟ ୯ ଓ ଚତୁର୍ଥ ପର୍ଯ୍ୟାୟରେ ୯ଟି ଏବଂ ପଂଚମ ପର୍ଯ୍ୟାୟରେ ୯ଟି ପ୍ରାର୍ଥୀ ଘୋଷଣା କରିଛି । ସବୁ ମିଶାଇ ୧୪୭ରୁ ୧୨୬ଟି ଆସନରେ ବହୁ କଷ୍ଟରେ ପ୍ରାର୍ଥୀ ଦେଇ ପାରିଛି ଦଳ । ଏବେ ମଧ୍ୟ ଆହୁରି ୨୧ଟି ଆସନରେ ଟିକେଟ୍ ଘୋଷଣା ବାକି ରହିଛି । ସେହିପରି ବିଜେଡି ୪ଟି ପର୍ଯ୍ୟାୟରେ ମଧ୍ୟ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲା । ପ୍ରଥମେ ୯ଟି, ଦ୍ୱିତୀୟ ପର୍ଯ୍ୟାୟରେ ୬, ପୁଣି ୫ ଏବଂ ଚତୁର୍ଥ ପର୍ଯ୍ୟାୟରେ ୧ଟି ଆସନରେ ଟିକେଟ୍ ଘୋଷଣା କରିଥିଲା । ଏହିପରି ଦଳ ୨୧ ଲୋକସଭା ସିଟରେ ପ୍ରାର୍ଥୀ ଘୋଷଣା କରି ସାରିଛି ।
ବିଜେପିର ମଧ୍ୟ ପାଖାପାଖି ସମାନ ଅବସ୍ଥା । ଦଳ ଲୋକସଭାରେ ସମସ୍ତ ୨୧ ଆସନ ଘୋଷଣା କରିଥିଲେ ହେଁ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବା କାଠିକର ପାଠ ହୋଇ ଯାଇଛି । ତେବେ ବିଜେଡି ତୁଳନାରେ ଦଳ ଟିକେଟ ଦେବାରେ ଆଗରେ ରହିଛି । ପ୍ରଥମ ପର୍ୟ୍ୟାୟରେ ବିଜେପି ଏକା ଥରକେ ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଏହା ପରଠୁ ଟିକେଟ୍ ପାଇ ନ ଥିବା ଅନେକ ଆଶାୟୀ ନେତା ଦଳରେ ବିଦ୍ରୋହ କରିବା ସହ ପାର୍ଟି ଛାଡିଥିଲେ । ଯାହା ଦଳକୁ ଅଡୁଆରେ ମଧ୍ୟ ପକାଇଥିଲା । ଅନେକ ଆସନରେ ପ୍ରାର୍ଥୀ ବଦଳାଇବା ପାଇଁ ମଧ୍ୟ ଆଶାୟୀ ନେତା ନିଜ ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାୟରେ ଶକ୍ତି ପ୍ରଦର୍ଶନ କରି ଚାପ ପକାଇଥିଲେ । ଏହା ପରେ ଏପ୍ରିଲ ୧୬ ତାରିଖରେ ଦଳ ଆଉ ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଜାରି କରିଛି । ଏହାକୁ ମିଶାଇ ଦଳ ୧୩୩ଟି ସିଟରେ ପ୍ରାର୍ଥୀ ଦେଇ ସାରିଛି । ତେଣୁ ଦଳ ଅବଶିଷ୍ଟ ୧୫ଟି ଆସନରେ ପ୍ରାର୍ଥୀ ଘୋଷଣାରେ କୌଣସି ତ୍ରୁଟି ରଖିବାକୁ ଚାହୁଁନାହିଁ କି ତରତର ହେଉ ନାହିଁ । ଏପ୍ରିଲ ୨୦ ତାରିଖର ଭିତରେ ପ୍ରାର୍ଥୀ ଘୋଷଣା ସରିବ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ।
ପ୍ରଥମେ ପ୍ରାର୍ଥୀ ଘୋଷଣା କରିବ ବୋଲି ଡିଣ୍ଡିମ ପିଟିଥିବା କଂଗ୍ରେସ ଏହି ମାମଲାରେ ବହୁ ପଛରେ ପଡିଥିଲେ ହେଁ ପରବର୍ତୀ ସମୟରେ ଟିକେଟ୍ ଘୋଷଣା କରିଥିଲା । ଦଳ ଏ ପର୍ଯ୍ୟନ୍ତ ୧୨୮ ବିଧାନସଭା ଏବଂ ୧୭ଟି ଲୋକସଭା ସିଟରେ ପ୍ରାର୍ଥୀ ଦେଇଛି । ଦଳ ପାଇଁ ସବୁଠୁ ବଡ ସମସ୍ୟା ହେଉଛି ନିଜ ଦଳର ନେତା ବିଜେପି ଓ ବିଜେଡିରେ ଯାଇ ସାମିଲ ହେଉଛନ୍ତି । କଂଗ୍ରେସରୁ ନେତା ଛାଡୁଥିଲେ ମଧ୍ୟ କାଁ ଭାଁ ଯୋଗ ଦେଉଛନ୍ତି । ଦଳଡିଆଁ କାରଣରୁ ରାଜ୍ୟ କଂଗ୍ରେସ ପ୍ରାର୍ଥୀ ଦେବାରେ ମୁସ୍କିଲ ସ୍ଥିତିର ସମ୍ମୁଖୀନ ହୋଇଛି । ଦଳକୁ ଏବେ ମଧ୍ୟ ଆହୁରି ୧୯ଟି ବିଧାନସଭା ଓ ୪ଟି ଲୋକସଭା ସିଟରେ ପ୍ରାର୍ଥୀ ଘୋଷଣା କରିବାର ଅଛି । ତେବେ ଟିକେଟ୍ ଘୋଷଣାରେ କଂଗ୍ରେସ ରାଜ୍ୟରେ ବିଜେପି ପରେ ଦ୍ୱିତୀୟ ସ୍ଥାନରେ ରହିଛି ।