ଭୁୁବନେଶ୍ୱର: ବିଜୁ ଜନତା ଦଳ ଶନିବାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ୯ ସିଟରେ ପ୍ରାର୍ଥୀ ଘୋଷଣା କରାଯାଇଛି । ଦୁଇଟି ଆସନରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କରିଛନ୍ତି । ବଡଚଣାରୁ ଅମର ପ୍ରସାଦ ଶତପଥୀଙ୍କ ଟିକେଟ୍ କାଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରାଯାଇଛି । ସେହି ଚମ୍ପୁଆରେ ବିବାଦୀୟ ନେତା ସନାତନ ମହାକୁଡଙ୍କୁ ଦଳ ଟିକେଟ୍ ଦେଇଛି । ସବୁଠୁ ବଡ କଥା ସନାତନ ମହାକୁଡ ଏ ପର୍ଯ୍ୟନ୍ତ ବିଜେଡିରେ ମଧ୍ୟ ମିଶି ନାହାନ୍ତି । ତଥାପି ଦଳ ତାଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି ଯାହା ଆଶ୍ଚର୍ଯ୍ୟ ଲାଗୁଛି ।
ସନାତନ ମହାକୁଡ କେନ୍ଦୁଝର ପରି ଏକ ଖଣି ଖାଦାନ ଜିଲ୍ଲାର ଜଣେ ବାହୁବଳୀ ଏବଂ ପ୍ରଭାବଶାଳୀ ବିଧାୟକ । ସେ ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତିଥିଲେ । ଏହା ପୂର୍ବରୁ ସେ ନିର୍ବାଚନ ଲଢି ନ ଥିଲେ ବି ସ୍ୱାଧୀନ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଉଥିଲେ । ସେ ନିଜର ଏକ ଦଳ ମଧ୍ୟ ଗଠନ କରିଥିଲେ । ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ଦଳ ଭାଙ୍ଗିବା ସହ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିର୍ବାଚନ ଲଢି ନ ଥିଲେ । ଆଉ ପ୍ରଥମ ଥର ୨୦୧୯ରେ ବିଜେଡି ଏହି ଆସନରୁ ବିଜୟର ସ୍ୱାଦ ଚାଖିଥିଲା । ମୀନାକ୍ଷୀ ମହାନ୍ତଙ୍କୁ ଦଳ ପ୍ରାର୍ଥୀ କରାଇଥିଲା ଯାହାକୁ ସନାତନ ମହାକୁଡ ସମର୍ଥନ ଦେଇଥିଲେ ବୋଲି କୁହାଯାଏ । ଆଉ ଏଥର ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ଏ ଯାବତ ସନାତନ ମହାକୁଡ ବିଜେଡିର ସଦସ୍ୟ ନୁହନ୍ତି । ତଥାପି ବିଜେଡି ତାଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି ।
କେନ୍ଦୁଝର ଜିଲ୍ଲାରେ ସନାତନଙ୍କ ନିଜସ୍ୱ ସଂଗଠନ ରହିଛି । ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରଭାବ ରହିଛି । ବିଶେଷ କରି ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ସେ ନିଜ ଉଦ୍ୟମରେ ଅନେକ କାମ ମଧ୍ୟ କରିଛନ୍ତି । ତାଙ୍କ ପରି ପ୍ରଭାବଶାଳୀ ନେତାଙ୍କୁ ବିଜେଡି ହାତଛଡା କରିବାକୁ ଚାହିଁନି । ତେଣୁ ଦଳରେ ନ ଥାଇ ବି ଶାସକ ଦଳ ତାଙ୍କୁ ପ୍ରାର୍ଥୀ କରିଛି, ଯାହା ରାଜନୀତିେ ଆଲୋଚ୍ୟର ବିଷୟ ପାଲଟିଛି ।