ବାରିପଦା: ନିକଟରେ ବିଜେଡି ବିଧାନସଭା ନିର୍ବାଚନ ପାଇଁ ଆଉ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏହାକୁ ମିଶାଇ ଦଳ ୧୩୫ଟି ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଆଉ ୧୨ଟି ବାକି ରହିଛି । ତେବେ ମୟୂରଭଞ୍ଜ ଜିଲ୍ଲାର ମୋଟ ୯ଟି ବିଧାନସଭା ଆସନ ମଧ୍ୟରୁ କେବଳ ବାଙ୍ଗିରିପୋଷିକୁ ଛାଡି ଦେଲେ ବାକି ୮ଟିରେ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛି । ଦଳର ବରିଷ୍ଠ ନେତା ସୁଦାମ ମାରାଣ୍ଡି ଏଥର ଲୋକସଭା ପ୍ରାର୍ଥୀ ହୋଇଥିବାରୁ ବାଙ୍ଗିରିପୋଷି ଆସନରେ ପ୍ରାର୍ଥୀ ଚୟନକୁ ନେଇ ଏ ଯାଏ ଦ୍ୱନ୍ଦ୍ୱ ହଟି ପାରିନି । ଯାହା ଫଳରେ ଏହି ଆସନକୁ ଝୁଲାଇ ରଖାଯାଇଛି ।
ଅନ୍ୟପଟେ ସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପୁଣି ଥରେ କରଞ୍ଜିଆରୁ ପ୍ରାର୍ଥୀ କରିଛି ବିଜେଡି । ୨୦୧୯ରେ ପ୍ରଥମ ପ୍ରୟାସରେ ବିଧାୟିକା ହୋଇ ବିଜେଡି ସରକାରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ପାଇଥିବା ବାସନ୍ତୀଙ୍କ ପାଇଁ ପଥ ଏଥର ସେତେ ସହଜ ନ ଥିଲା । ପୂର୍ବତନ ବିଧାୟକ ବିଜୟ ନାଏକ ମଧ୍ୟ ଟିକେଟ୍ ଦୌଡରେ ଥିଲେ । ଶେଷରେ ବିଜୟଙ୍କ ପରିବର୍ତେ ବାସନ୍ତୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ପୂର୍ବଥର ଅପେକ୍ଷା ଏଥର ଅଧିକ ଭୋଟରେ ନିର୍ବାଚିତ ହେବେ ବୋଲି ବାସନ୍ତୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେପି ପ୍ରାର୍ଥୀ ପଦ୍ମଚରଣ ହଇବୁରୁ ଓ କଂଗ୍ରେସର ଲକ୍ଷ୍ମୀଧର ସିଂଙ୍କ ସହ ତାଙ୍କର ଲଢେଇ ହେବ । ଟିକେଟ୍ ନ ମିଳିବାରୁ ବିଜୟଙ୍କ ଶିବିରରେ ନିରାଶ ଖେଳି ଯାଇଛି । ଦେଖିବାକୁ ବାକି ରହିଲା ସେ ଦଳ ସୁପ୍ରିମୋ ନବୀନଙ୍କ ଏହି ନିଷ୍ପତିକୁ ମାନି ନେବେ ନା ନିଜର ବିକଳ୍ପ ପନ୍ଥା ଆପଣେଇବେ ।
ସେହିପରି ଡାକ୍ତର ଚାକିରି ଛାଡି ରାଜନୀତିକୁ ଆସିଥିବା ଦେବାଶିଷ ମାରାଣ୍ଡିକୁ ବିଜେଡି ସାରସକଣା ବିଧାନସଭା ଆସନରୁ ଟିକେଟ୍ ଦେଇଛି । ଦେବାଶିଷ ୨୦୧୪ରେ ଜେଏମଏମର ଲୋକସଭା ପ୍ରାର୍ଥୀ ଏକ ଲକ୍ଷ ୭୨ ହଜାର ଭୋଟ୍ ପାଇଥିଲେ । ପରେ ବିଜେଡିରେ ସାମିଲ ହୋଇ ୨୦୧୯ରେ ଲୋକସଭା ନିର୍ବାଚନ ଲଢି ବିଜେପି ପ୍ରାର୍ଥୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଖରୁ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ । ଏଥର ମଧ୍ୟ ସେ ଲୋକସଭା ଟିକେଟ୍ ପାଇଁ ରେସରେ ଥିଲେ । କିନ୍ତୁ ଦଳ ପରାଜିତ ପ୍ରାର୍ଥୀଙ୍କୁ ଦୋହରାଇବାକୁ ଉଚିତ୍ ମଣି ନ ଥିଲା । ବାଙ୍ଗିରିପୋଷିରୁ ତାଙ୍କୁ ଟିକେଟ୍ ଦିଆଯିବ ବୋଲି କୁହାଯାଉଥିଲା । କିନ୍ତୁ ଆଉ ତାଙ୍କୁ ସାରସକଣାରୁ ପ୍ରାର୍ଥୀ କରାଯାଇଛି । ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଭାଦବ ହାଁସଦାଙ୍କ ସହ ତାଙ୍କର ଲଢେଇ ହେବ ।