ରାଜ୍ୟବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି, ୨୦୨୩ ସୁଦ୍ଧା ଓଡିଶା ନମ୍ବର ୱାନ ହେବ: ନବୀନ


ବ୍ରହ୍ମପୁର: ଷଷ୍ଠ ଥର ନିର୍ବାଚନ ଜିତି ପୁଣି ଥରେ ସରକାର ଗଢିବା ଲକ୍ଷ୍ୟ ନେଇ ଆଜିଠୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିଜର ପ୍ରଚାର ଅଭିଯାନ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳରୁ ଆରମ୍ଭ କରିଛନ୍ତି । ଏଠାରେ ଜନସଭାକୁ ସମ୍ବୋଧିତ କରିବା ସହ ବିରୋଧୀଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ୍ କରିଛନ୍ତି । ବିରୋଧୀ ବିକାଶ କାମରେ ବାଧା ସୃଷ୍ଟି କରୁଥିବା ନବୀନ କହିଛନ୍ତି ।

ସେ କହିଛନ୍ତି ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇ ପାରି ନାହାନ୍ତି । ଓଡିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି । ଆପଣଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ । ବିଜୟ ଧାରା ଜାରି ରହିବ, ଲୋକସଭାରେ ବି ବହୁତ ଭଲ କରିବୁ । ୨୦୩୬ ସୁଦ୍ଧା ଓଡିଶା ଏକ ନମ୍ବର ରାଜ୍ୟରେ ପରିଣତ ହେବ ।

ହିଞ୍ଜିଳିରୁ ବିଜେଡିର ଜୟ ଯାତ୍ରା ଆରମ୍ଭ ହେଲା ବୋଲି ନବୀନ କହିଛନ୍ତି । ଜନସାଧାରଣକୁ ସମ୍ବୋଧିତ କରି ନବୀନ କହିଛନ୍ତି ଆପଣମାନଙ୍କ ସ୍ନେହ ଓ ସମର୍ଥନ ପାଇଁ ଚିର ଋଣୀ । ଓଡିଶାର ୪ କୋଟି ଲୋକ ମୋ ପରିବାର । ଏମାନଙ୍କ ପାଇଁ କାମ କରି ଚାଲିଛି ଏବଂ ଶେଷ ଯାଏ କରିବି । ମିଶନ ଶକ୍ତି ମାଆ ମାନେ ଉଦ୍ୟୋଗୀ ହେଲେଣି । ଏଥର ମଧ୍ୟ ବିଜେଡିକୁ ଉଭୟ ବିଧାୟକ ଓ ସାଂସଦକୁ ଭୋଟ୍ ଦେଇ ବିଜୟୀ କରାନ୍ତୁ ।

ଗଞ୍ଜାମ ଜିଲ୍ଲାରେ ବିଜେଡି ବିଗତ ନିର୍ବାଚନର ଫଳାଫଳକୁ ଦୋହରାଇବା ପାଇଁ ଅଂଟା ଭିଡିଛି । ସେଥିପାଇଁ ଦଳ ପୁରା ଯୋଜନା ପ୍ରସ୍ତୁତ କରି ସାରିଛି । ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଦୁଇଟି ଲୋକସଭା ବ୍ରହ୍ମପୁର ଓ ଆସ୍କା ରହିଛି । ବ୍ରହ୍ମପୁର ଲୋକସଭା ସିଟରୁ ଦଳ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଛି ।