ଆଜି ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ମୁହଁରୁ କଥା ବାହାରୁନି: ମନମୋହନ ସାମଲ


ଭୁବନେଶ୍ୱର: ଓଡିଶାରେ ଚାଲିଛି ଅଫିସରରାଜ । ରାଜ୍ୟର ମନ୍ତ୍ରୀ ଓ ବିଧାୟକଙ୍କ ଆଜି ସମ୍ମାନ ନାହିଁ କହିଲେ ଚଳେ । ୨୫ ବର୍ଷର ବିଜେଡି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଲୋକାର୍ପିତ କରାଯିବା ଅବସରରେ ଏମିତି ଶାଣିତ ସ୍ୱରରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବୁଧବାର ରାଜ୍ୟ କାର୍ଯ୍ୟାଳୟରେ ଚାର୍ଜସିଟ୍ ଲୋକାର୍ପିତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । କେତେ ଦିନ ସହିବା ପରିବର୍ତନ ଆଣିବା ନାଁରେ ଚାର୍ଜସିଟ୍ ଅଣାଯାଇଛି । ପଂଚାୟତଠୁ ସଚିବାଳାୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି ।

ଓଡିଶାରେ ଅଫିସରରାଜ ଚାଲିଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡିଶାରେ ଆଜି ନା ଗଣତାନ୍ତ୍ରିକ ବ୍ୟବସ୍ଥା ଅଛି ନା ରାଜନୈତିକ ବ୍ୟବସ୍ଥା ଅଛି । ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମ୍ମାନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨/୪ ଜଣ ମୁଷ୍ଟିମେୟ ଅଫିସର ଆଜି ରାଜ୍ୟରେ ଆତଙ୍କରାଜ ସୃଷ୍ଟି କରୁଛନ୍ତି । ଆଜି ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ମୁହଁରୁ କଥା ବାହାରୁନି । ଗଣତନ୍ତ୍ରରେ ମନ୍ତ୍ରୀ, ବିଧାୟକ, ସାଂସଦ କ୍ରୀତଦାସ ନୁହନ୍ତି। ଗଣତନ୍ତ୍ରରେ ଡରାଇ, ଧମକାଇ ଶାସନ ଚାଲି ପାରିବ ନାହିଁ ।

ସୂଚନାଯୋଗ୍ୟ, ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଛନ୍ତି । ହିଞ୍ଜିଳିରୁ ଜନସଭା କରି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ବିରୋଧୀ ବିକାଶ କାମରେ ବାଧା ସୃଷ୍ଟି କରୁଥିବା ନବୀନ କହିଛନ୍ତି । ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇ ପାରି ନାହାନ୍ତି । ଓଡିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି । ଆପଣଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ । ବିଜୟ ଧାରା ଜାରି ରହିବ, ଲୋକସଭାରେ ବି ବହୁତ ଭଲ କରିବୁ । ୨୦୩୬ ସୁଦ୍ଧା ଓଡିଶା ଏକ ନମ୍ବର ରାଜ୍ୟରେ ପରିଣତ ହେବ ।